କହିବା କାହାକୁ, ଶୁଣିବ କିଏ

ଛନ୍ଦା ମିଶ୍ର

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। ଏଥିରେ ବର୍ଷିକିଆ ଅବକାରୀ ନୀତି ବଦଳରେ ୪ ମାସିଆ ନୀତି ନିର୍ଦ୍ଧାରଣ ହୋଇଛି। ସରକାରଙ୍କ ଏହି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡିକୁ ୬ଟି ଭୌଗୋଳିକ ଭାଗରେ ବିଭକ୍ତ କରାଯାଇ ଲାଇସେନ୍ସ ଫି’କୁ ବୃଦ୍ଧି କରାଯାଇଛି। ଯେଉଁ ମଦ ଦୋକାନଗୁଡ଼ିକ ଲାଇସେନ୍ସ ଫି’ ବାବଦରେ ମାସକୁ ୭୫ ହଜାର ଟଙ୍କା ପଇଠ କରୁଥିଲେ, ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ସେମାନେ ତାହାର ଦୁଇଗୁଣ ଅର୍ଥାତ୍‌ ଦେଢ଼ଲକ୍ଷ ଟଙ୍କା ଲାଇସେନ୍ସ ଫି’ ବାବଦରେ ମାସକୁ ଦାଖଲ କରିବେ। ଏସବୁ ବ୍ୟତୀତ ରାଜ୍ୟର ଆଦିବାସୀବହୁଳ ୨୧ଟି ଅବକାରୀ ଜିଲାରେ ଥିବା ମହୁଲ ଓ ପୋଚ ଦୋକାନଗୁଡିକର ମାସିକ ଲାଇସେନ୍ସ ଫି’ ଉପରେ ୧୫% ବୃଦ୍ଧି କରାହୋଇଛି।

ଆଜି ସହରଠଁୁ ନେଇ ଗାଁ ଗଣ୍ଡା ଯାକେ ମଦ ଆବାଳବୃଦ୍ଧବନିତା ସମସ୍ତଙ୍କୁ କରିସାରିଛି କବଳିତ। କ୍ୱଚିତ୍‌ ଏପରି ଭାଗ୍ୟଶାଳୀ ପରିବାରଟିଏ ବାଦ୍‌ ପଡିଯାଇଛି, ଯେଉଁଠି କୌଣସି ସଦସ୍ୟ ମଦ୍ୟପାନ କରନ୍ତି ନାହିଁ। ବୋଧହୁଏ କେବଳ ମଦ ଦୋକାନ ହେଉଛି ଏକମାତ୍ର ଦୋକାନ, ଯେଉଁଠାରେ ସକାଳୁ ରାତି ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଲାଗି ରହିଥାଏ। ବୋଧହୁଏ ଏହା ହେଉଛି ଏକମାତ୍ର ବ୍ୟବସାୟ ସ୍ଥଳୀ, ଯେଉଁଠାରେ ‘କ୍ଷତି’ ନାମକ ଶବ୍ଦଟି ହୁଏନା ବ୍ୟବହୃତ ଏବଂ ପ୍ରତ୍ୟେକ ଦିନ ନୂଆ ନୂଆ ଯୁବକ ‘ମଦୁଆ’ ତାଲିକାରେ ନିଜ ନାମ ପଞ୍ଜୀକରଣ କରୁଛନ୍ତି ସିନା ଏଥିରୁ ନାମ କଟିବାର ଆଜି ପର୍ଯ୍ୟନ୍ତ କେହି ଦେଖିନାହିଁ। ମଦକୁ ନେଇ ଅପରାଧ ଦୁନିଆର ଇତିହାସରେ ପ୍ରତି ମୁହୂର୍ତ୍ତରେ ଯୋଡ଼ା ହେଉଛି ନୂତନ ଫର୍ଦ୍ଦ। ମଦ ଏପରି ଏକ ବିଜୟ ଅଭିଯାନରେ ବାହାରିଛି, ଯେଉଁଥିରେ ପରାଜୟର ସାମାନ୍ୟତମ ଆଶଙ୍କା ମଧ୍ୟ କରାଯାଇପାରେନା। ମନେହୁଏ, ସତେଯେପରି ପରିବେଶର ଅପଶକ୍ତିମାନେ ପ୍ରବଳ ବେଗରେ ପୃଥିବୀକୁ ଧ୍ୱଂସାତ୍ମକ ପଥରେ ଅଡାଇ ନେବା ପାଇଁ ଆଗଭର ହୋଇ ଅଣ୍ଟା ଭିଡ଼ି ଦେଇଛନ୍ତି ଏବଂ ଏହି ଅପଶକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବା ପାଇଁ ଆମ ସରକାର ହୋଇଛନ୍ତି ବଦ୍ଧପରିକର।

ବର୍ତ୍ତମାନ ମଦ ଦୋକାନର ଲାଇସେନ୍ସ ଫି’ ବାବଦରେ ଯେଉଁ ଦୁଇଗୁଣ ଅର୍ଥ ରାଜକୋଷକୁ ଆସିବ, ତାହା କୌଣସି ମଦ ଦୋକାନୀର ପେଟ ବା ପକେଟକୁ ସାମାନ୍ୟତମ କଷ୍ଟ ସୁଦ୍ଧା ଦେବନାହିଁ। ବାର୍‌ମାନଙ୍କରେ ବସି ମଦ୍ୟପାନ କରୁଥିବା ଧନିକ ଗୋଷ୍ଠୀର ପକେଟକୁ ମଧ୍ୟ ତାହା ବାଧିବ ନାହିଁ। ମାତ୍ର ମଦ ଦୋକାନ ସମ୍ମୁଖରେ ଭିଡ଼ କରୁଥିବା ନିମ୍ନ ମଧ୍ୟବିତ୍ତ, ଖଟିଖିଆ, ମଜୁରିଆ ମଦ ପାଗଳମାନଙ୍କ ଜୀବନ ହେବ ଦୁର୍ବିଷହ। ସଂସାର ହେବ ଉଚ୍ଛନ୍ନ। ଅକାଳରେ ପରିବାରଗୁଡିକ ଝଡିପଡିବା ପୂର୍ବରୁ ନିଜକୁ ବଞ୍ଚାଇବା ପାଇଁ ନିଜ ସ୍ବଭାବର ବିପରୀତ ଦିଗରେ ଯାଇ ଅପରାଧ ଜଗତରେ ପାଦଦେଇ ‘ଅଭାବେ ସ୍ବଭାବ ନଷ୍ଟ’ ଉକ୍ତିଟିକୁ କରିବ ପ୍ରମାଣିତ। ଦୁଃଖର ସହ କହିବାକୁ ପଡୁଛି ଯେ, ଯେଉଁ ଅରାଜକତାର ବିଷ ବଳୟରେ ବର୍ତ୍ତମାନର ପରିବେଶ ଓ ସମାଜ ଅଣନିଃଶ୍ୱାସୀ ହୋଇଉଠିଛି। ଅଚିରେ ଏହି ‘ସମାଜ’ ନାମକ ତତ୍ତ୍ୱଟି ଲଭିବ ସଲିଳସମାଧି।

କୁହାଯାଏ ପ୍ରକୃତି ତିନି ପ୍ରକାରର- ଉତ୍ତମ, ମଧ୍ୟମ ଓ ଅଧମ। ନିଜେ କଷ୍ଟ ସହି ଅନ୍ୟକୁ ସନ୍ତୋଷ ପ୍ରଦାନ ଉତ୍ତମ ପ୍ରକୃତିର ଲକ୍ଷଣ। ମଧ୍ୟମ ପ୍ରକୃତିଟି ନିଜ ସହ ଅନ୍ୟର ଉନ୍ନତି ସାଧନ ପାଇଁ କରିଥାଏ ପ୍ରୟାସ ଏବଂ ଅନ୍ୟକୁ କଷ୍ଟଦେଇ ନିଜ ଉଦର ପୂର୍ଣ୍ଣ କରୁଥିବା ପ୍ରକୃତିଟି ଅଧମ ଆଖ୍ୟା ପାଏ। କହିବା ବାହୁଲ୍ୟ, ଆଜି ସରକାର ନିଜ ଅଧମ ପ୍ରକୃତିର ପରିଚୟ ଦେଇ ପ୍ରଜାଙ୍କ ଭୋକିଲା ଉଦରକୁ ଶକ୍ତ ଲାତ ମାରି ନିଜ ପେଟ ଓ ପେଟିକୁ ଫୁଲାଇବାର କରିଛନ୍ତି ପ୍ରଯତ୍ନ। ପୁଣି ନିର୍ବାଚନ ସମୟରେ ମଦ ପରି ମନ୍ଦ ପଦାର୍ଥକୁ ସୁହାଇଲା ଭଳି ଯୋଜନାଟିଏ କରି ସରକାର ନିଜ ଅପରିପକ୍ୱ ଓ ସମାଜବିରୋଧୀ ମସ୍ତିଷ୍କର ଯେ ପ୍ରମାଣ ଦେଇଛନ୍ତି, ତାହା କହିବାକୁ ତିଳେ ହେଲେ ଦ୍ୱିଧା ନାହିଁ।

ମନେ ପଡ଼ିଯାଉଛି ଆଦିକବି ସାରଳା ଦାସ କୃତ ମହାଭାରତର ସ୍ବର୍ଗାରୋହଣ ପର୍ବରୁ ଧାଡ଼ିଏ- ‘ବାବୁ ପ୍ରଜା ପାଳିଲେ ବର୍ଦ୍ଧିତ ହୁଅଇ ଯଶଶ୍ରୀ ଆୟୁଷେ।’

ପରିକ୍ଷିତଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରି ଯୁଧିଷ୍ଠିର ତାଙ୍କୁ ରାଜଧର୍ମ ପାଳନ କରିବାର ସରଳସୂତ୍ର ସମ୍ବନ୍ଧରେ କହିବାକୁ ଯାଇ ରାଜାର ଦାୟିତ୍ୱ ଓ କହିବା ସମ୍ପର୍କରେ ଉଲ୍ଲେଖ କରି କହନ୍ତି -”ରାଜା ପ୍ରଜାଙ୍କୁ ପୁତ୍ର ତୁଲ୍ୟ ମଣିଲେ ହିଁ ଇନ୍ଦ୍ରଦେବ ରାଜାଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି। ପୁଣି ସେହି ପର୍ବରେ ସହଦେବ କଳିଯୁଗର ବୈଶିଷ୍ଟ୍ୟଗୁଡିକ ଉଲ୍ଲେଖ କରି ”ରାଜା ଓ ପ୍ରଜାର ସମ୍ପର୍କ, ଶାଗୁଣା-ମଡ଼ାର ସମ୍ପର୍କରେ ପରିଣତ ହେବ“ ବୋଲି ଭବିଷ୍ୟବାଣୀ କରିଛନ୍ତି।

ଉକ୍ତିଟି ଆଜି ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହୋଇସାରିଲାଣି। ଗାଁ ଗଣ୍ଡାରେ ମଦବିରୋଧୀ ଆନ୍ଦୋଳନଗୁଡିକ ମୁଣ୍ଡ ଟେକିଲାଣି। ମହିଳାମାନେ ମେଳିହୋଇ ମଦ ଦୋକାନ ଭାଙ୍ଗି ମାଟିରେ ମିଶେଇଲେଣି। ମଦ ଯୋଗୁ ନିତିଦିନ ଡାକ୍ତରଖାନାର ରୋଗୀ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଅନୁରୂପ ଭାବେ ବଢିଚାଲିଛି କାରାଗାରରେ କଏଦୀଙ୍କ ସଂଖ୍ୟା। ଘର ବୁଡ଼ି ପାଣି ବେକ ପର୍ଯ୍ୟନ୍ତ ଆସିଲାଣି। ଆଉ ଦୁଇ ଚାରି ଅଙ୍ଗୁଳି ହେଲେ ନାକରେ ପଶିବ। ହେଲେ ‘କହିବା କାହାକୁ, ଶୁଣିବ କିଏ’? ସରକାରଙ୍କୁ ତାଙ୍କ ଭୋଟ ଓ ନୋଟ ଚିନ୍ତା ଏମିତି ଘାରିଛି ଯେ, ଜନସାଧାରଣଙ୍କ ସମସ୍ୟା ସମାଧାନ ଆଡ଼କୁ ତାଙ୍କ ଦୃଷ୍ଟି ଯାଉନି। କେବେ ତାଙ୍କ ଜ୍ଞାନୋଦୟ ହେବ କେଜାଣି! ଯେବେ ସେ ବୁଝିବେ ଯେ ପ୍ରଜା ନ ଥିଲେ ରାଜା ବା ରାଜପଦର କୌଣସି ଅର୍ଥ ହିଁ ନାହିଁ। ଏପରି ପରିବେଶ ଓ ପରିସ୍ଥିତିକୁ କେବଳ ଈଶ୍ୱର ହିଁ ଭରସା।

ମୋ- ୯୪୩୭୪୫୩୬୧୦,

chhandamishra74@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri