Categories: ଖେଳ

କଳ୍ପନାଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୨୫ା୫(ସ୍ପୋଟର୍‌ସ ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ମାଉଣ୍ଟ ଏଭରେଷ୍ଟରେ ମୃତ୍ୟୁବରଣ କରିଥିବା ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯିବା ବ୍ୟବସ୍ଥା କରାଯାଉଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ସହିତ ଏନେଇ ଯୋଗାଯୋଗ ଅବ୍ୟାହତ ରହିଛି। ଦୂତାବାସରୁ ମିଳିଥିବା ଖବର ଅନୁସାରେ, ସ୍ଥାନୀୟ ଏକ ପ୍ରଫେସନାଲ ଏଜେନ୍ସି ଦ୍ୱାରା ସନ୍ଧାନ ଓ ଉଦ୍ଧାରକାର୍ଯ୍ୟ ଶୁକ୍ରବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଛି। କଳ୍ପନାଙ୍କ ମରଶରୀର ୮୬୦୦ ମିଟର ଉଚ୍ଚରେ ଅବସ୍ଥିତ ବାଲ୍‌କୋନି ଏରିଆରେ ରହିଛି। ଏହାକୁ ଆଣିବା ଲାଗି ୧୦ଜଣ ଶେର୍ପା ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଛନ୍ତି। ଚଳିତ ସିଜନ ପାଇଁ ମାଉଣ୍ଟ ଏଭରେଷ୍ଟ ମେ ୨୭ ତାରିଖରୁ ବନ୍ଦ ରହିବ। ଏହି ସମୟସୀମା ମଧ୍ୟରେ କଳ୍ପନାଙ୍କ ମରଶରୀର ଅଣାଯିବାର ଯୋଜନା ଚାଲିଛି। କଳ୍ପନାଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ଭାରତୀୟ ପର୍ବତାରୋହୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସେମାନଙ୍କ ମରଶରୀରକୁ ମଧ୍ୟ ଅଣାଯିବାର ବ୍ୟବସ୍ଥା କରାଯାଉଛି। ଘଟଣାର ଅଗ୍ରଗତି ସମ୍ପର୍କରେ ସମୟକୁ ସମୟ କଳ୍ପନାଙ୍କ ପରିବାରବର୍ଗଙ୍କୁ ଅବଗତ କରାଇ ଦିଆଯାଉଛି। ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ନିର୍ଭର ପ୍ରତିଶ୍ରୁତି ଦିଆଯାଉଛି। ମରଶରୀରକୁ ବେସ୍‌ କ୍ୟାମ୍ପକୁ ଅଣାଯିବା ମାତ୍ରେ ସେଠାରୁ ନେପାଳ ନିଆଯିବ। ସେଠାରୁ କଳ୍ପନାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଆଣିବା ଲାଗି ପରିବାର ସଦସ୍ୟଙ୍କୁ ନେପାଳ ଯାତ୍ରାର ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯିବ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନେପାଳସ୍ଥିତ ଭାରତୀୟ ଦୂତାବାସ ସହିତ ମୁଁ ଯୋଗାଯୋଗ ରଖିଛି। ସୌଭାଗ୍ୟବଶତଃ କଳ୍ପନାଙ୍କ ମରଶରୀରକୁ ଠାବ କରାଯାଇପାରଛି। ଦୂତାବାସ ତରଫରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

Share