Categories: ଖେଳ

କଳିଙ୍ଗ ଷ୍ଟାଡିୟମ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି

ନୂଆଦିଲ୍ଲୀ, ୧୭ ।୬(ପି.ଟି.)-
କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଉତ୍ତମ କ୍ରୀଡ଼ା ଭିତ୍ତିଭୂମି ଥିବା ଦେଶର ୮ଟି ସ୍ଥାନକୁ ଚିହ୍ନଟ କରିଛନ୍ତି। ଏହା ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ୪ଟି ସ୍ଥାନ ଅନ୍ତର୍ଭୁକ୍ତ। ଏଗୁଡ଼ିକୁ ଖେଲୋ ଇଣ୍ଡିଆ ରାଜ୍ୟ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (କେଆଇଏସସିଇ)ରେ ପରିଣତ କରାଯିବ। ପ୍ରଥମ ପର୍ଯ୍ୟାୟରେ ମନ୍ତ୍ରଣାଳୟ କର୍ନାଟକ, ଓଡ଼ିଶା, କେରଳ, ତେଲଙ୍ଗାନା, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ ରାଜ୍ୟ ଅଧୀନରେ ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରିଛି। ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ଆବଶ୍ୟକତା ଅନୁସାରେ କେଆଇଏସସିଇ ପାଇଁ ଅର୍ଥ ଅନୁମୋଦନ କରାଯିବ। ” ଉତ୍ତମ କ୍ରୀଡ଼ା ଭିତ୍ତିଭୂମି ଥିବା ଏହି ସ୍ଥାନଗୁଡ଼ିକର ଚୟନ ପ୍ରକ୍ରିୟା ୨୦୧୯ ଅକ୍ଟୋବରରୁ ଆରମ୍ଭ ହୋଇଛି। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ନିକଟରେ ଉପଲବ୍ଧ ଥିବା କ୍ରୀଡ଼ା ଭିତ୍ତିଭୂମିକୁ ଚିହ୍ନଟ କରିବା ପାଇଁ କୁହା ଯାଇଥିଲା। ସେମାନଙ୍କ ଏଜେନ୍ସି କିମ୍ବା ଅନ୍ୟ ଯୋଗ୍ୟ ଏଜେନ୍ସି ମାଧ୍ୟମରେ ଏହି ସ୍ଥାନ ଗୁଡ଼ିକୁ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିରେ ପରିଣତ କରାଯିବ“ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ଟି ପ୍ରସ୍ତାବ ଆସିଥିଲା ଏବଂ ଅନୁଧ୍ୟାନ କରାଯିବା ପରେ ପ୍ରମୁଖ କ୍ରୀଡ଼ା ଗୁଡ଼ିକ ପାଇଁ ଟ୍ରେନିଂ ସୁବିଧା ସୁଯୋଗ ଏବଂ ଉତ୍ତମ ଭିତ୍ତିଭୂମି ଥିବା ୮ଟି ସ୍ଥାନକୁ ଶର୍ଟଲିଷ୍ଟ କରାଯାଇଥିଲା। ଅଲିମ୍ପିକ୍ସ ସ୍ପୋଟର୍‌ସକୁ ଦୃଷ୍ଟିରେ ରଖି ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏହି ସେଣ୍ଟରକୁ କାର୍ଯ୍ୟକ୍ଷମ କରାଇବେ ଏବଂ ରହିବା, ଖାଇବା ଓ ରକ୍ଷଣାବେକ୍ଷଣ ସେମାନଙ୍କର ଦାୟିତ୍ୱରେ ରହିବ।

Share