କଳିଙ୍ଗପ୍ରାଣ ବିଚ୍ଛନ୍ଦଚରଣ

ଡ. ଉଦ୍ଧବ ଚରଣ ନାୟକ

ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ତଥା ବିକାଶ କ୍ଷେତ୍ରରେ ଉତ୍କଳର ଅନ୍ୟତମ ବରପୁତ୍ର ସ୍ବଦେଶପ୍ରେମୀ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଦାନ ଅବିସ୍ମରଣୀୟ। ଏହି ସମସ୍ତ କ୍ଷେତ୍ରରେ ତାଙ୍କ ମହନୀୟ ଅବଦାନକୁ ଲକ୍ଷ୍ୟକରି ଓଡ଼ିଶାର ଲବ୍ଧପ୍ରତିଷ୍ଠ ସାହିତି୍ୟକ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ଯଥାର୍ଥରେ ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କୁ ‘କଳିଙ୍ଗପ୍ରାଣ’ ଭାବରେ ଆଖ୍ୟାୟିତ କରିଛନ୍ତି। ବିଚ୍ଛନ୍ଦଚରଣ ପଟ୍ଟନାୟକ ସମସ୍ତଙ୍କ ପାଖରେ ବିଚ୍ଛନ୍ଦବାବୁ ଭାବରେ ଥିଲେ ପରିଚିତ। ତାଙ୍କ ଜୀବନ ଚରିତ, ଚିନ୍ତା-ଚେତନା ଓ ଆଦର୍ଶ ପ୍ରତ୍ୟେକ ଉତ୍କଳୀୟ ପ୍ରାଣରେ ନୂତନ ସ୍ପନ୍ଦନ ସୃଷ୍ଟିକରେ। ବିଚ୍ଛନ୍ଦବାବୁ ଏକାଧାରରେ ଥିଲେ ଜଣେ ସାହିତି୍ୟକ, କବି, ପଣ୍ଡିତ, ଅନୁବାଦକ, ସୁସଂଗଠକ, ସଂସ୍କୃତିବିତ୍‌, ସାମ୍ବାଦିକ ଓ ସ୍ବାଧୀନତା ସଂଗ୍ରାମୀ।
ବିଚ୍ଛନ୍ଦବାବୁଙ୍କ ଜନ୍ମ ୧୯୦୧ ମସିହା ଜାନୁୟାରୀ ୨୦ ତାରିଖ ଦିନ ଖୋର୍ଦ୍ଧା ଅନ୍ତର୍ଗତ ଯାଆଁଳା ଗ୍ରାମର ଏକ ସମ୍ଭ୍ରାନ୍ତ କରଣ ପରିବାରରେ। ପିତା ଗୋପାଳକୃଷ୍ଣ ପଟ୍ଟନାୟକ ଥିଲେ ପ୍ରାଚୀନ ସାହିତ୍ୟ ବିନୋଦୀ। ଚାଣକ୍ୟ ଶ୍ଳୋକ ସମେତ ଅନେକ ସଂସ୍କୃତ ଶ୍ଳୋକ ସେ କଣ୍ଠସ୍ଥ କରି ରଖିଥିଲେ। ବିଚ୍ଛନ୍ଦବାବୁଙ୍କ ବଡ଼ଭାଇ ପଦ୍ମଚରଣ ପଟ୍ଟନାୟକ। ଜଣେ ଉତ୍ତମ ଶିକ୍ଷକ ଭାବରେ ସେ ଥିଲେ ପରିଚିତ। ବିଚ୍ଛନ୍ଦବାବୁଙ୍କ ବାଲ୍ୟ ଜୀବନ ଥିଲା ଅତ୍ୟନ୍ତ ଦୁଃଖପୂର୍ଣ୍ଣ। ପିଲାବେଳେ କୂଅରେ ପଡ଼ିଯାଇଥିବାରୁ ସେ ଛୋଟା ହୋଇ ଯାଇଥିଲେ। ବିଚ୍ଛନ୍ଦବାବୁ ଇଂଲିଶ କବି ବାଇରନଙ୍କ ପରି ବାଲ୍ୟକାଳରୁ ଥିଲେ ଖଞ୍ଜ। ବାରବର୍ଷ ଯାଏ ସେ ଚାଲିବୁଲି ପାରୁ ନ ଥିଲେ। ସେ ଖଞ୍ଜ ଥିଲେ ବୋଲି ସ୍ବରଚିତ ତୁଳସୀ ରାମାୟଣ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି-
”ଜନ୍ମରୁ ଖଞ୍ଜ ମୋ ପୟର,
ଚାଲିବା ବଡ଼ କଷ୍ଟକର।“
ବିଚ୍ଛନ୍ଦବାବୁ ଦଶବର୍ଷରୁ କବିତା ରଚନା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ କବିତା ସେ ପଢୁଥିବା ସତ୍ୟବାଦୀ ସ୍କୁଲ ଓ ଖୋର୍ଦ୍ଧା ସ୍କୁଲ ପତ୍ରିକାରେ ପ୍ରକାଶ ପାଉଥିଲା। ୧୯୨୦ ମସିହାରେ ସତ୍ୟବାଦୀ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରି କିଛିଦିନ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୨୩ ମସିହାରେ ରେଭେନ୍ସା କଲେଜରେ ନାମ ଲେଖାଇ ଇଂଲିଶ୍‌ ଅନର୍ସ ସହ ବିଏ ପାସ୍‌ କଲେ। ସେ ଇଂଲିଶ ଭାଷା ସାହିତ୍ୟର ଥିଲେ ଜଣେ ମେଧାବୀ ଛାତ୍ର। ବିଏ (ଇଂଲିଶ ଅନର୍ସ) ଡିଗ୍ରୀ ଲାଭ କରି ସେ କୌଣସି ଉଚ୍ଚ ସରକାରୀ ଅଧିକାରୀ ଭାବରେ ଅଧିଷ୍ଠିତ ହୋଇପାରି ଥାଆନ୍ତେ। କିନ୍ତୁ ସେ ଅନୁଭବ କଲେ ଯେ, ଭାଷା ଓ ସଂସ୍କୃତି ହେଲା ଜାତିର ପିଣ୍ଡ, ଏସବୁର ସୁରକ୍ଷା ନ ହେଲେ ଜାତିର ସୁରକ୍ଷା ଓ ବିକାଶ ଅସମ୍ଭବ।
ସେହି ସମୟରେ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପ୍ରଚେଷ୍ଟାରେ ‘ପ୍ରାଚୀ-ସମିତି’ ନାମରେ ଏକ ସଂସ୍ଥା ଗଠନ କରାଗଲା। ପ୍ରାଚୀ ସମିତି ଗଠନର ମହାନ୍‌ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ପ୍ରାଚୀନ ପୋଥି ସଂଗ୍ରହପୂର୍ବକ ସେଗୁଡ଼ିକୁ ସଂକଳନ କରି ପ୍ରକାଶ କରିବା। ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଇଙ୍ଗିତରେ ବିଚ୍ଛନ୍ଦବାବୁ, ଗୁରୁଚରଣ ମହାନ୍ତି ଓ କରୁଣାକର କର ପ୍ରମୁଖ ଶିକ୍ଷିତ ଯୁବକମାନେ ପ୍ରାଚୀ ସମିତି କାର୍ଯ୍ୟରେ ଓତପ୍ରୋତ ଭାବରେ ଜଡିତ ହେଲେ। ପ୍ରାଚୀ ସମିତିର ତ୍ରୈମାସିକ ଇଂଲିଶ୍‌ ପତ୍ରିକା ପ୍ରାଚୀର ସେ ସମ୍ପାଦନା ଦାୟିତ୍ୱ ବହନ କଲେ। ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ ନିମନ୍ତେ ଡାକ୍ତର ଗୋପାଳ ପଟ୍ଟନାୟକ ଓ ନୃସିଂହ ଚରଣ ମହାନ୍ତି ପ୍ରମୁଖ ଯୁବକମାନଙ୍କୁ ସଂଗଠିତ କରି ଉତ୍କଳ ଦେଶ ମିଶ୍ରଣ ସଂଘ ନାମରେ ଏକ ସଂଘ ପ୍ରତିଷ୍ଠା କଲେ। ୧୯୩୧ ମସିହାରେ ପ୍ରାଚୀ ପତ୍ରିକାରେ ମିଦିନାପୁର ସମ୍ବନ୍ଧରେ ତାଙ୍କ ଲିଖିତ ପ୍ରବନ୍ଧ ”History’s verdict against Bengal’s unholy claim“ ସମଗ୍ର ବଙ୍ଗଳାରେ ଚହଳ ପକାଇଦେଲା। ଦେଶପ୍ରାଣ ମଧୁସୂଦନ ଏହି ପ୍ରବନ୍ଧଟିକୁ ପାଠକରି ବ୍ୟକ୍ତିଗତ ଭାବରେ ବିଚ୍ଛନ୍ଦବାବୁଙ୍କ ପାଖକୁ ଆସି ଅଭିନନ୍ଦନ ଜଣାଇଲେ। ବିଚ୍ଛନ୍ଦବାବୁଙ୍କ ସମ୍ପାଦନାରେ ପ୍ରକାଶିତ ଏହି ପତ୍ରିକା ଦେଶବିଦେଶରେ ପ୍ରତିଷ୍ଠା ଲାଭ କରିଥିଲା। ପଣ୍ଡିତ ଜବାହରଲାଲ ନେହେରୁ ଆଦି ବିଶିଷ୍ଟ ବ୍ୟକ୍ତିମାନେ ଏହି ପତ୍ରିକାକୁ ଆଗ୍ରହ ସହକାରେ ପାଠ କରୁଥିଲେ। ଦୁଇ ବିଘା ଜମି କବିତାରେ ରବୀନ୍ଦ୍ରନାଥ ଓଡ଼ିଆମାନଙ୍କୁ ତାଚ୍ଛଲ୍ୟ କରି ‘ଉଡେ’ କହିଥିବାରୁ ବିଚ୍ଛନ୍ଦବାବୁଙ୍କ ଦ୍ୱାରା ପ୍ରାଚୀ ପତ୍ରିକାରେ ତୀକ୍ଷ୍‌ଣ ସମାଲୋଚନାର ଶରବ୍ୟ ହୋଇଥିଲେ।
ବିଚ୍ଛନ୍ଦବାବୁଙ୍କ ଦ୍ୱାରା ୧୯୪୪ ମସିହାରେ ଉତ୍କଳ ଛାତ୍ରସାହିତ୍ୟ ସମାଜ ଓ ୧୯୪୫ ମସିହାରେ କଳିଙ୍ଗଭାରତୀ ସାହିତ୍ୟ ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା। ଓଡ଼ିଶାର ପ୍ରାଚୀନ ସାହିତ୍ୟର ଉଦ୍ଧାର, ପ୍ରଚାର-ପ୍ରସାର ତଥା ଦେଶର ଭବିଷ୍ୟତ ନାଗରିକ ଛାତ୍ରସମାଜକୁ ପ୍ରାଚୀନ ରାଗରାଗିଣୀରେ ସାହିତ୍ୟ ସୃଷ୍ଟି କରିବାର ମୂଳ ଲକ୍ଷ୍ୟ ନେଇ ବିଚ୍ଛନ୍ଦବାବୁ ଏହି ଦୁଇଟି ଅନୁଷ୍ଠାନ ଗଠନ କରିଥିଲେ। ସେ ଉପେନ୍ଦ୍ର ଭଞ୍ଜଙ୍କର କେତୋଟି ଚମତ୍କାର ସଙ୍ଗୀତକୁ ଇଂଲିଶ ଭାଷାରେ ଅନୁବାଦ କରିଯାଇଛନ୍ତି। କବିସୂର୍ଯ୍ୟଙ୍କର କେତେକ କବିତା ‘ଗ୍ଲିମ୍ଫସେସ୍‌ ଇନ୍‌ ଟୁ କବିସୂର୍ଯ୍ୟ’ ମଧ୍ୟ ରଚନା କରିଯାଇଛନ୍ତି। ଏହା ବ୍ୟତୀତ ସେ କଳିଙ୍ଗ, କବି ସମ୍ରାଟ ଓ କଳିଙ୍ଗ ଭାରତୀ ଆଦି କେତୋଟି ଇଂଲିଶ ପୁସ୍ତକର ରଚୟିତା।
ବିଚ୍ଛନ୍ଦବାବୁ ୧୯୪୨ ମସିହାରେ ଓକିଲାତି ବ୍ୟବସାୟ ତ୍ୟାଗକରି ଓଡ଼ିଶା ସରକାରଙ୍କର ଅତିରିକ୍ତ ଅନୁବାଦକ ଭାବରେ ନିଯୁକ୍ତ ହେଲେ। ଏହାପରେ ଓଡ଼ିଶା ସରକାରଙ୍କ ଲୋକ ସମ୍ପର୍କ ବିଭାଗର ଲେଖକ-ଅନୁବାଦକ ଓ ପ୍ରଡକ୍ସନ ଅଫିସର ଭାବେ କାର୍ଯ୍ୟକରି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଦାୟିତ୍ୱ ମଧ୍ୟ ବହନ କରିଥିଲେ। ଏହି ସରକାରୀ କାର୍ଯ୍ୟରୁ ଅବ୍ୟାହତି ନେବା ପରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବରେ କିଛିଦିନ କାର୍ଯ୍ୟ କରିଥିଲେ। ବିଚ୍ଛନ୍ଦବାବୁଙ୍କର କବି ପ୍ରତିଭା ବିଂଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟ ଜଗତରେ ବିସ୍ମୟ ସୃଷ୍ଟିକରେ। ତାଙ୍କ ରଚିତ କବିତା କୁମୁଦ ଓ ଶତପତ୍ର କବିତା ଗ୍ରନ୍ଥଦ୍ୱୟ ଏହାର ଜ୍ୱଳନ୍ତ ନିଦର୍ଶନ। ତାଙ୍କର ଅନ୍ୟ କୃତିଗୁଡ଼ିକ ହେଲା ଆଦ୍ୟ ଅର୍ଘ୍ୟ, କବି ସମ୍ରାଟ ସ୍ମରଣିକା, ଶ୍ରୀଶ୍ରୀଜଗନ୍ନାଥ ଜଣାଣ ଓ ଭଜନ, ଓଡ଼ିଆ ସାହିତ୍ୟର ଇତିହାସ, ଭାବିନୀ-ଭାବନା (କବିତା ପୁସ୍ତକ), ତୁଳସୀ ରାମାୟଣ ଓ ବିନୟ ପତ୍ରିକାର ଓଡ଼ିଆ ଅନୁବାଦ। ଭାବିନୀ-ଭାବନା ତାଙ୍କର ଶ୍ରେଷ୍ଠ ଓ ଶେଷ କୃତି ଭାବେ ବିବେଚିତ। ୧୯୬୧ ଜାନୁୟାରୀ ୪ ତାରିଖରେ ସେ ଇହଧାମରୁ ବିଦାୟ ନେଇଥିଲେ।
ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ, ଭୁବନେଶ୍ୱର, ମୋ-୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri