Categories: ରାଜ୍ୟ

କଲବଲ କରୁଛି ଗରମ, ଗୁଳୁଗୁଳି

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ମୌସୁମୀ କେରଳ ଛୁଇଁ ସାରିଛି। ଓଡ଼ିଶାକୁ କେବେ ସୁଦ୍ଧା ମୌସୁମୀ ଆସିବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ରାଜ୍ୟରେ ଲେଉଟିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରିଦେଇଛି। ସାରା ରାଜ୍ୟ ଗରମ ଓ ଗୁଳୁଗୁଳିରେ କଲବଲ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଣିଷଠାରୁ ଆରମ୍ଭକରି ପଶୁପକ୍ଷୀ ପ୍ରବଳ ଗ୍ରୀଷ୍ମରେ ଆଉଟପାଉଟ ହେଉଛନ୍ତି। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୟଙ୍କର ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ଗୁଳୁଗୁଳିରେ ଅଣନିଃଶ୍ୱାସୀ ହେଲାଣି। ଆକାଶ ମେଘ ବାଦଲରେ ଘୋଡ଼ାଇ ରହୁଥିଲେ ମଧ୍ୟ ଗରମରୁ ମୁକ୍ତି ମିଳୁନାହିଁ। ଉପକୂଳବର୍ତ୍ତୀ ସହରଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହୁଥିଲେ ମଧ୍ୟ ବାୟୁମଣ୍ଡଳର ଆର୍ଦ୍ରତା ୮୦ରୁ ୯୦ ପ୍ରତିଶତ ରହୁଛି। ଆକାଶ ମେଘୁଆ ରହୁଥିବାରୁ ଭୂପୃଷ୍ଠରୁ ବିକିରଣ ହେଉଥିବା ତତଲା ବାୟୁ ବାଦଲକୁ ଭେଦକରି ଯାଇପାରୁ ନାହିଁ। ଫଳରେ ପରିବେଶ ଉତ୍ତପ୍ତ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୪ ଡିଗ୍ରୀ ସେଲସିୟସ ଉପରକୁ ଉଠିଯାଉଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥ୍‌ତ୍ବା ସୂଚନା ଅନୁଯାୟୀ ସୋମବାର ରାଜ୍ୟର ୧୧ଟି ସହରରେ ତାତି ୪୦ ଡିଗ୍ରୀ ସେଲସିୟସ ଉପରକୁ ଉଠିଯାଇଛି। ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୪୩.୨, ଅନୁଗୋଳ ୪୧.୧, ସୁନ୍ଦରଗଡ଼ ୪୦, ହୀରାକୁଦ ୪୪.୮, ତାଳଚେର ୪୦.୫, ଭବାନୀପାଟଣା ୪୦.୨, ବଲାଙ୍ଗୀର ୪୨.୫, ଫୁଲବାଣୀ ୪୦.୪, ଟିଟିଲାଗଡ଼ ୪୩.୬ ଏବଂ ସୋନପୁରର ତାପମାତ୍ରା ୪୧.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଭଳି ପାଗ ଆସନ୍ତା ୧୫ ତାରିଖ ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲା ସମେତ ମାଲକାନଗିରି, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।