କର୍ପୋରେଟ୍‌ ହାତରେ ବ୍ୟାଙ୍କ୍‌ କେତେ ସୁରକ୍ଷିତ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ଦେଶରେ ନିଜସ୍ବ ବ୍ୟାଙ୍କ୍‌ ଖୋଲିବା ପାଇଁ ବଡ଼ କର୍ପୋରେଟ୍‌ଗୁଡ଼ିକୁ ଅନୁମତି ଦେବା ସମ୍ପର୍କରେ ପ୍ରସ୍ତାବ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ୍‌ର ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍‌ ତରଫରୁ ଏ ନେଇ ସୁପାରିସ କରିବା ସହିତ ଆସନ୍ତା ଜାନୁୟାରୀ ୧୫ ସୁଦ୍ଧା ତା’ ଉପରେ ମତାମତ ଦେବାକୁ ଜନଗଣଙ୍କୁ ସୁଯୋଗ ଦିଆଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏନେଇ ବ୍ୟାଙ୍କ୍‌ ତରଫରୁ ଯେଉଁ ଚାରି ଜଣ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଥିଲା ସେମାନଙ୍କ ମଧ୍ୟରୁ ତିନି ଜଣ ନିଜର ଅସହମତି ପ୍ରକାଶ କରିଥିଲେ ମଧ୍ୟ ବ୍ୟାଙ୍କ୍‌ ଏ ଦିଗରେ ଆଗକୁ ବଢ଼ିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।
କର୍ପୋରେଟ୍‌ ହାତରେ ବ୍ୟାଙ୍କର ମାଲିକାନା ଦେବା ଦେଶର ଅର୍ଥନୀତି ପାଇଁ ବିନାଶକାରୀ ହେବ ବୋଲି ଆଶଙ୍କା କରି ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ରଘୁରାମ ରାଜନ୍‌, ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ଓ ଏସ୍‌ଏସ୍‌ ମୁନ୍ଦ୍ରାଙ୍କ ସହ ପ୍ରମୁଖ ତା’ର ଦୃଢ଼ ବିରୋଧ କରିଛନ୍ତି। ସେମାନଙ୍କ ମତରେ କର୍ପୋରେଟ୍‌ଗୁଡ଼ିକ ନିଜର ସ୍ବାର୍ଥ ପାଇଁ ବ୍ୟାଙ୍କ୍‌ ବ୍ୟବସ୍ଥାର ଦୁରୁପଯୋଗ କରିବା ସହିତ ଏହାଦ୍ୱାରା କୋଟି କୋଟି ଜମାକାରୀଙ୍କ ଜମାଟଙ୍କାର ନିରାପତ୍ତା ବିପନ୍ନ ହେବାର ନିଶ୍ଚିତ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ଷ୍ଟାଣ୍ଡାର୍ଡ ଏଣ୍ଡ୍‌ ପୁର୍‌ ମଧ୍ୟ ଏନେଇ ନିଜର ଅସହମତି ବ୍ୟକ୍ତ କରିଛି। ଏପରି କି ଦେଶର ଅର୍ଥନୀତିର ଘରୋଇକରଣର ସମର୍ଥକ ରୂପେ ପରିଚିତ ଅନେକ ଅର୍ଥନୀତିଜ୍ଞ ମଧ୍ୟ ରିଜର୍ଭ ବ୍ୟାଙ୍କ୍‌ର ଏହିି ପଦକ୍ଷେପକୁ ନାପସନ୍ଦ କରିବା ଦେଖାଯାଇଛି।
ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ କର୍ପୋରେଟ୍‌ ନିୟନ୍ତ୍ରଣରୁ ମୁକ୍ତ କରି ସାଧାରଣ ଜନତାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ୧୯୬୯ରେ ଦେଶରେ ବ୍ୟାଙ୍କ୍‌ ଜାତୀୟକରଣ କରାଯାଇଥିଲା। ସେତେବେଳେ କର୍ପୋରେଟ୍‌୍‌ଗୁଡ଼ିକ କବ୍ଜାରେ ଥିବା ଦେଶର ୧୪ଟି ବ୍ୟାଙ୍କ୍‌କୁ ସରକାରଙ୍କ ଅଧୀନକୁ ଅଣାଯିବା ସହିତ ଘରୋଇ କ୍ଷେତ୍ରରେ ବ୍ୟାଙ୍କ ପ୍ରତିଷ୍ଠାକୁ ଅନୁମତି ନ ଦେବା ପାଇଁ ନୀତିଗତ ଭାବେ ସ୍ଥିର ହୋଇଥିଲା। ୧୯୯୧ରେ ଦେଶରେ ଉଦାରୀକରଣ ଅର୍ଥନୀତି ଆରମ୍ଭ ହେବା ସହିତ ସରକାର ପ୍ରଥମ ଥର ପାଇଁ ଆକ୍ସିସ୍‌, ଆଇସିଆଇସିଆଇ ପରି ଘରୋଇ ବ୍ୟାଙ୍କ୍‌ ପ୍ରତିଷ୍ଠାକୁ ଅନୁମତି ଦେଲେ। କିନ୍ତୁ ଏସବୁ ବ୍ୟାଙ୍କ୍‌ରେ ରହିଥିବା ପ୍ରମୋଟରମାନଙ୍କ ଅଂଶଧନକୁ ସୀମିତ ରଖାଯିବା ସହ ସେମାନେ ବ୍ୟାଙ୍କ୍‌ ବ୍ୟତୀତ ଅନ୍ୟ କୌଣସି ଶିଳ୍ପ କିମ୍ବା ବ୍ୟବସାୟ କରିପାରିବା ନେଇ ସ୍ପଷ୍ଟ ପ୍ରତିବନ୍ଧକ ଥିଲା। ଏହାର ଅର୍ଥ ହେଲା ଘରୋଇ କ୍ଷେତ୍ରରେ ବ୍ୟାଙ୍କ୍‌ ପ୍ରତିଷ୍ଠା ପାଇଁ ଅନୁମତି ଦିଆଗଲେ ମଧ୍ୟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ କର୍ପୋରେଟ୍‌ର ମାଲିକାନାଠାରୁ ଦୂରେଇ ରଖାଯାଇଥିଲା। ଏପରି କରିବାର ମୂଳ ଉଦ୍ଦେଶ୍ୟ ହେଲା, ଯଦି କର୍ପୋରେଟ୍‌ଗୁଡ଼ିକ ବ୍ୟାଙ୍କ୍‌ର ଗ୍ରାହକ ହେବା ବଦଳରେ ନିଜେ ତା’ର ମାଲିକ ହୋଇଯିବେ, ତା’ହେଲେ ସେଥିରେ ରହିଥିବା ସାଧାରଣ ଜନତାଙ୍କ ଅର୍ଥକୁ ନିଜର ବ୍ୟବସାୟିକ ସ୍ବାର୍ଥରେ ନେଇଯିବା ସହିତ ତାକୁ ଫେରାଇବା ନେଇ ସମସ୍ୟା ରହିବ। ଆଜି ବି ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସେହି ବିପଦଟି ଅବ୍ୟାହତ ରହିଥିବା ବେଳେ କର୍ପୋରେଟଙ୍କ ହାତରେ ବ୍ୟାଙ୍କ୍‌ ମାଲିକାନା ଦେବାର ନିଷ୍ପତ୍ତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରିଜର୍ଭ ବ୍ୟାଙ୍କ୍‌ର ଆଭ୍ୟନ୍ତରୀଣ କାର୍ଯ୍ୟକାରୀ ଗ୍ରୁପ୍‌ର ରିପୋର୍ଟ ସରକାରଙ୍କ ଘରୋଇକରଣ ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବେ ସୂଚାଉଛି। କେବଳ ଆଜି ନୁହେଁ , ନିଜ ଶାସନର ଆରମ୍ଭରୁ ହିଁ ମୋଦି ସରକାର ବ୍ୟାଙ୍କ୍‌ ସମେତ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ଶିଳ୍ପ ଓ ସମ୍ପତ୍ତିକୁ ଘରୋଇକରଣ ଜରିଆରେ କର୍ପୋରେଟ୍‌ଙ୍କ ହାତରେ ଟେକିଦେବାର ସୁଚିନ୍ତିତ ଯୋଜନା କରି ଆସିଛନ୍ତି। କିଛି ବର୍ଷ ତଳେ ପ୍ରଥମ ଥର ପାଇଁ ମୋଦି ସରକାର ଦେଶରେ ଘରୋଇ ବ୍ୟାଙ୍କ୍‌ ପ୍ରତିଷ୍ଠା ପାଇଁ ଅନୁମତି ଦେବାକୁ ଘୋଷଣା କରିବା ପରେ ଟାଟା, ଅମ୍ବାନୀ ସମେତ ଦେଶର ୨୫ଟି କର୍ପୋରେଟ୍‌ କମ୍ପାନୀ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ତେବେ ବିଭିନ୍ନ କାରଣରୁ ସରକାର ସେମାନଙ୍କ ଆବେଦନକୁ ମଞ୍ଜୁର କରି ନ ଥିବା ବେଳେ ବନ୍ଧନ ଓ ଆଇଡିବିଆଇ ପରି ଦୁଇଟି ବ୍ୟାଙ୍କ୍‌କୁ ଅନୁମତି ଦେଇଥିଲେ। ଯଦି ସେତେବେଳେ ବ୍ୟାଙ୍କ୍‌ ଖୋଲିବା ପାଇଁ ଭିଡିଓକନ୍‌ ଓ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କ୍ୟାପିଟାଲ୍‌କୁ ଅନୁମତି ମିଳିଥାନ୍ତା, ତା’ହେଲେ କିଭଳି ପରିସ୍ଥିତି ହୋଇଥାନ୍ତା, ତାହା ଉପରୋକ୍ତ ଦୁଇଟି କମ୍ପାନୀ ଦେବାଳିଆ ହେବା ଘଟଣାରୁ ସ୍ପଷ୍ଟ ଅନୁମେୟ। କାରଣ ସେଭଳି ପରିସ୍ଥିତିରେ କେବଳ ଜମାକାରୀଙ୍କ କଷ୍ଟାର୍ଜିତ ଜମା ହିଁ ଚାଲିଯାଇଥାନ୍ତା।
ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ବୃହତ୍‌ କମ୍ପାନୀଗଡ଼ିକୁୁ ଟେକିଦେବା ପାଇଁ ସରକାର ଯେଉଁ ଘରୋଇକରଣର ରୋଡମ୍ୟାପ୍‌ ତିଆରି କରିଛନ୍ତି, ତାରି ଅନ୍ତର୍ଗତ ଗତ କିଛିବର୍ଷ ମଧ୍ୟରେ ଦେଶର ସରକାରୀ ବ୍ୟାଙ୍କ୍‌ଗୁଡ଼ିକ ମଧ୍ୟରେ ସମ୍ମିଶ୍ରଣ କରିବା ଦେଖାଯାଇଛି। ଭବିଷ୍ୟତରେ ସେସବୁ ବ୍ୟାଙ୍କ୍‌ଙ୍କୁ ଅଧିଗ୍ରହଣ କରିବା ପାଇଁ ସେମାନେ ଆବଶ୍ୟକୀୟ ଆଇନଗତ ବ୍ୟବସ୍ଥା ସହିତ ନିଜର ଏକ ବ୍ୟାଙ୍କ୍‌ ନେଟୱର୍କ କରିବାକୁ ଯାଉଛନ୍ତି। ସେ ଦିଗରେ ଆଉ ଏକ ପଦକ୍ଷେପ ଭାବେ ସରକାର ବର୍ତ୍ତମାନର କର୍ପୋରେଟ୍‌ର ମାଲିକାନାରେ ବ୍ୟାଙ୍କ୍‌ ପାଇଁ ଅନୁମତି ଦେବାକୁ ଯାଉଛନ୍ତି।
ଏଠାରେ ଜାଣିବା ଦରକାର ଯେ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ରରେ ଘରୋଇକରଣ ଓ ବ୍ୟାଙ୍କ୍‌ ଘରୋଇକରଣ ଏକା ନୁହେଁ। କାରଣ କୌଣସି ଶିଳ୍ପ ବା ସଂସ୍ଥାକୁ ଘରୋଇକରଣ ଫଳରେ ସେଥିରେ କର୍ପୋରେଟ୍‌ମାନେ ଅଧିକ ପୁଞ୍ଜିନିବେଶ ଓ ପ୍ରଯୁକ୍ତି ବିଦ୍ୟା ଆଣିବାର ସମ୍ଭାବନା ଥିବା ବେଳେ ବ୍ୟାଙ୍କ୍‌ କ୍ଷେତ୍ରରେ କିନ୍ତୁ ତା’ର ଓଲଟା ଦେଖିବାକୁ ମିଳେ। କାରଣ ଏଠାରେ କର୍ପୋରେଟ୍‌କୁ ପୁଞ୍ଜିନିବେଶ କରିବା ଦରକାର ପଡ଼େନି, ବରଂ ବ୍ୟାଙ୍କ୍‌ରେ ଥିବା ଜମାକାରୀଙ୍କ ବିପୁଳ ଜମାରାଶି କର୍ପୋରେଟଙ୍କ ପାଇଁ ପୁଞ୍ଜିର କାମ କରେ। ସେମାନେ ନିଜର ବ୍ୟବସାୟିକ ସ୍ବାର୍ଥରେ ଉପରୋକ୍ତ ଜମାରାଶିକୁ ନେବାର ସୁଯୋଗଟି ମିଳିଯାଇଥାଏ।
କେବଳ ଆମ ଦେଶ ହିଁ ନୁହେଁ, ବିଶ୍ୱର ପ୍ରାୟତଃ ସମସ୍ତ ଦେଶରେ କର୍ପୋରେଟ୍‌ମାନଙ୍କ ହାତରେ ବ୍ୟାଙ୍କ୍‌ର ମାଲିକାନା ରହିବା ଦେଖିବାକୁ ମିଳେନି। ଅର୍ଥନୀତିର ସାଧାରଣ ଜ୍ଞାନ ଥିବା ଲୋକେ ଭଲ ରୂପେ ଜାଣନ୍ତି ଏଭଳି ପଦକ୍ଷେପ ବିରାଡ଼ିକୁ ମାଛ ଖେଳେଇବାକୁ ଦେବା ପରି ହେବ। କାରଣ ମାଲିକାନା ପାଇବା ପରେ କର୍ପୋରେଟ୍‌ମାନେ ବ୍ୟାଙ୍କ୍‌ରେ ଥିବା ଜମାକାରୀଙ୍କ ବିପୁଳ ଜମାରାଶିକୁ ନିଜର ନାମୀ ବେନାମୀ କମ୍ପାନୀଙ୍କ ପାଇଁ ଋଣ ଆକାରରେ ନେଇ ଆର୍ଥିକ ଏକାଧିକାର ପ୍ରତିଷ୍ଠା କରିବାକୁ ଉଦ୍ୟମ କରିବେ। ଯଦି ସେମାନେ ତାକୁ ଶୁଝିପାରିବେନି ତା’ହେଲେ ତାହା ଅନାଦେୟ ଅର୍ଥ ବା ଏନ୍‌ପିଏ ହୋଇ ବ୍ୟାଙ୍କ୍‌ ଉପରେ ବୋଝ ହୋଇ ରହିବ। ଯେହେତୁ ଋଣଦାତା ନିଜେ ମାଲିକ ଅଟନ୍ତି ତେଣୁ ସେହି ଏନ୍‌ପିଏକୁ ଉଦ୍ଧାର କରିବାକୁ ବ୍ୟାଙ୍କ୍‌ ଯେତିକି ଜୋର ଦେବା କଥା ଦେଇପାରିବନି। ବର୍ତ୍ତମାନ ଆମ ଦେଶର ଅଧିକାଂଶ ବ୍ୟାଙ୍କ୍‌ ସରକାରୀ ମାଲିକାନାରେ ରହିଥିବା ସତ୍ତ୍ୱେ କର୍ପୋରେଟ୍‌ଗୁଡ଼ିକ ନେଇଥିବା ବିପୁଳ ପରିମାଣର ଋଣକୁ ଆଦାୟ କରିବା କଷ୍ଟକର ହୋଇପଡ଼ିଛି।
ଆଜି କର୍ପୋରେଟ୍‌ଗୁଡ଼ିକ ହିଁ ବ୍ୟାଙ୍କ୍‌ର ସବୁଠାରୁ ବଡ଼ ଋଣଖିଲାପୀ ଭାବେ ପ୍ରମାଣିତ ହୋଇଛନ୍ତି। ୨୦୧୮ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶର ସରକାରୀ ବ୍ୟାଙ୍କ୍‌ର ମୋଟ ଅନାଦେୟ ଋଣର ପରିମାଣ ୯.୬୨ ଲକ୍ଷ କୋଟିରେ ଯାଇ ପହଞ୍ଚତ୍ଥିଲା। ସେଥିରୁ କର୍ପୋରେଟ୍‌ଗୁଡ଼ିକ ନେଇଥିବା ଋଣର ପରିମାଣ ହେଉଛି ୭୩.୨ପ୍ରତିଶତ। ମୋଦିଙ୍କ ଗତ ଛଅ ବର୍ଷର ଶାସନ କାଳରେ ହିଁ ସର୍ବାଧିକ ଏନ୍‌ପିଏ ସୃଷ୍ଟି ହୋଇଛି। ଏହି ବିପୁଳ ପରିମାଣର ଏନ୍‌ପିଏ ଆଜି ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ସଙ୍କଟର ମୂଳ କାରଣ। ବିପୁଳ ଋଣ ନେଇ ଅନେକ ପୁଞ୍ଜିପତି ଗତ କିଛିବର୍ଷ ମଧ୍ୟରେ ଦେଶ ଛାଡ଼ି ପଳାଇବା ବି ଦେଖିବାକୁ ମିଳିବା ସହ ସରକାର ଏକ୍ଷେତ୍ରରେ ଅତ୍ୟନ୍ତ ଅସହାୟ ହୋଇପଡ଼ିବା ଦେଖିବାକୁ ମିଳିଛି। ଆମ ଆଗରେ ୟେସ୍‌ ବ୍ୟାଙ୍କ୍‌ ଓ ଲକ୍ଷ୍ମୀ ବିଳାସ ବ୍ୟାଙ୍କ୍‌ ପରି ଘରୋଇ ବ୍ୟାଙ୍କ୍‌ର ତିକ୍ତ ଅନୁଭୂତି ରହିଛି। ଅତଏବ ଏଭଳି ପରିସ୍ଥିତିରେ ସରକାର କର୍ପୋରେଟ୍‌ଗୁଡ଼ିକ ପାଖରେ ପଡ଼ିଥିବା ବ୍ୟାଙ୍କ୍‌ର ଅନାଦେୟ ଋଣକୁ ଉଦ୍ଧାର କରିବାକୁ ପଦକ୍ଷେପ ନେବା ପରିବର୍ତ୍ତେ ପୂରା ବ୍ୟାଙ୍କ୍‌କୁ ହିଁ କର୍ପୋରେଟ୍‌ ହାତକୁ ଟେକିଦେବାର ଉଦ୍ୟମଟି ଅତ୍ୟନ୍ତ ବିପଜ୍ଜନକ ମନେହୁଏ।
ମୋ:୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri