Categories: ଖେଳ

କରୋନା ସହାୟତା ତାଲିକାରେ ଦେବାଶିଷ, ବିପ୍ଳବ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧ା୪- କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଚାଲିଥିବା ଲଢ଼େଇରେ ନିଜ ଅବଦାନ ରଖିଛନ୍ତି ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଓ ଓଡ଼ିଶା ରଣଜୀ ଟ୍ରଫି ଦଳର ସିନିୟର ସଦସ୍ୟ ବିପ୍ଳବ ସାମନ୍ତରାୟ। ସମ୍ପ୍ରତି ଦେଶରେ ଲକ୍‌ ଡାଉନ ଯୋଗୁ ଘରେ ରହୁଥିବା ଜାତୀୟ ଜୁନିୟର ଚୟନ କମିଟି ଦେବାଶିଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ‘ଘରେ ରୁହ, ସୁସ୍ଥ ଓ ସୁରକ୍ଷିତ ରୁହ“ ବୋଲି ନିଜ ବାର୍ତ୍ତାରେ କହିଛନ୍ତି ଏହି ପୂର୍ବତନ ଅନ୍ତର୍ଜାତୀୟ ପେସ୍‌ ବୋଲର। ୧୯୭୬ ଜୁଲାଇ ୨୦ରେ ଜନ୍ମିତ ଦେବାଶିଷ ୧୯୯୭ରୁ ୨୦୦୧ ମଧ୍ୟରେ ୨ଟି ଟେଷ୍ଟ ଓ ୪୪ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳି ରାଜ୍ୟକୁ ଗର୍ବିତ କରିଛନ୍ତି। ସେ ଟେଷ୍ଟରେ ୪ଟି ଓ ଏକଦିବସୀୟ କ୍ରିକେଟରେ ୫୭ଟି ଉଇକେଟ ନେଇଛନ୍ତି। ୧୧୭ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ ଖେଳି ୪୧୭ ଉଇକେଟ ହାସଲ କରିଛନ୍ତି ଦେବାଶିଷ।
ବିପ୍ଳବଙ୍କ ସହଯୋଗ: କଟକ ଅଫିସ, ୩୧ା୩- ରାଜ୍ୟର ନିର୍ଭରଯୋଗ୍ୟ ଖେଳାଳି ବିପ୍ଳବ କରୋନା ମୁକାବିଲା ନିମନ୍ତେ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ ନିଜର ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ସୂଚନା ଥାଉକି, ଦକ୍ଷ ଅଲରାଉଣ୍ଡର ବିପ୍ଳବ ରାଜ୍ୟ ସିନିୟର କ୍ରିକେଟ ଦଳର ଜଣେ ନିୟମିତ ଖେଳାଳି।

Share