କରୋନା ସଙ୍କଟ ଏବଂ ଶ୍ରମ ଅସନ୍ତୁଳନ

ଡ. ଅମିୟ କୁମାର ମହାପାତ୍ର, ରବିନାରାୟଣ ସେଠୀ

ରାଷ୍ଟ୍ରର ବିକାଶ ଜାତୀୟ ଆୟ ଦୃଷ୍ଟିରୁ ନୁହେଁ ବରଂ ଜନ କଲ୍ୟାଣ ଏବଂ ଜନ ସନ୍ତୋଷ ଉପରେ ନିର୍ଭର କରେ। ଆମେ କିପରି ଦେଶର ଶ୍ରମଶକ୍ତିର ଯତ୍ନ ଏବଂ ସମ୍ମାନ କରୁ, ତାହା ଆମର ବିକାଶର ମାନ ନିର୍ଦ୍ଧାରଣ କରିଥାଏ। ଶ୍ରମିକର ଅବଦାନ ଏବଂ ତା’ର ଉତ୍ପାଦକତା ଦେଶର କଲ୍ୟାଣ ଏବଂ ଭବିଷ୍ୟତର ସୁଖ ଓ ସମୃଦ୍ଧି ପାଇଁ ନିହାତି ଆବଶ୍ୟକ। ଏହି ବର୍ଷ ମେ’ ମାସର ପ୍ରଥମ ଦିବସଟି ଥିଲା ସମ୍ପୂର୍ଣ୍ଣ ଅଲଗା ଏବଂ ଦୁର୍ଭାଗ୍ୟଜନକ। କାରଣ କୋଭିଡ୍‌-୧୯ ଶ୍ରମିକଙ୍କର ଜୀବନ ଏବଂ ଜୀବିକା ପାଇଁ ବିପଦ ସୃଷ୍ଟି କରିବା ସହିତ ସେମାନଙ୍କର ସାମାଜିକ-ଅର୍ଥନୈତିକ ଭିତ୍ତିଭୂମିକୁ ଭାଙ୍ଗି ଖଣ୍ଡବିଖଣ୍ଡ କରିଦେଇଛି। ମାନସିକ ଚାପ ବୃଦ୍ଧି ସହିତ ସ୍ବାସ୍ଥ୍ୟକୁ ବ୍ୟାପକ ପ୍ରଭାବିତ କରିଛି। ମହାମାରୀ ସମୟରେ କରୋନା ସମ୍ବନ୍ଧୀୟ ମୃତ୍ୟୁ ହେବାର ଆଶଙ୍କା ଥିବାରୁ ଅନେକ ଶ୍ରମିକ ଜୀବିକା ହରାଇ, ଖାଦ୍ୟ ପାନୀୟ ବିନା ନିଜ ବାସସ୍ଥାନକୁ ଫେରୁଛନ୍ତି। ତାଲାବନ୍ଦ ସମୟରେ ବିସ୍ଥାପିତ ହୋଇ ଲକ୍ଷ ଲକ୍ଷ ଶ୍ରମିକ ଦୁଃଖକଷ୍ଟରେ ନିଜ ଗାଁ ଏବଂ ସହରକୁ ଚାଲି ଚାଲି ଫେରୁଛନ୍ତି। ଭାରତ ବିଭାଜନ ପରେ ଏହା ଦେଶର ସବୁଠୁ ବଡ ଜନ ସ୍ଥାନାନ୍ତରଣ ବୋଲି ପ୍ରମାଣିତ ହୋଇଛି।
ବିଶ୍ୱବ୍ୟାପୀ ମହାମାରୀ କୋଭିଡ୍‌-୧୯ ଦ୍ୱାରା ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଏବଂ ସ୍ଥାନାନ୍ତର ସଙ୍କଟ ଯୋଗୁ ଏହା ଜୀବନ ଏବଂ ଜୀବିକା ପାଇଁ ବିପଦ ସୃଷ୍ଟି କରୁଛି। ଏହି ବୃହତ୍‌ ସମସ୍ୟା ମଧ୍ୟ ବିଶ୍ୱର ପ୍ରମୁଖ ସମୃଦ୍ଧ ଏବଂ ଶକ୍ତିଶାଳୀ ଦେଶଗୁଡ଼ିକୁ ଦୁର୍ବଳ ଏବଂ ଅସହାୟ କରିଦେଇଛି। ଭାରତ ପରି ଦେଶରେ କରୋନା କେବଳ ସ୍ବାସ୍ଥ୍ୟ ସଙ୍କଟରେ ସୀମିତ ନୁହେଁ, ବରଂ ଏହା ଅର୍ଥନୀତି ପାଇଁ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଛି।
ଶ୍ରମବିଭାଜନ ଅନୁଯାୟୀ, ଶ୍ରମିକର ଦକ୍ଷତା ଏବଂ କାର୍ଯ୍ୟକ୍ଷେତ୍ର ଆଧାରରେ ସେମାନଙ୍କୁ ଶ୍ରେଣୀଭୁକ୍ତ କରାଯାଇଥାଏ। ଦକ୍ଷତା ଦୃଷ୍ଟିରୁ ଶ୍ରମିକମାନଙ୍କୁ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଭାବରେ ବିଭାଜନ କରାଯାଇଥାଏ। କରୋନା ପ୍ରଭାବରେ ମୁଖ୍ୟତଃ ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ବିଶେଷଭାବରେ ଅସନ୍ତୁଳନ ଦେଖାଦେଇଛି। ବହୁ ଶ୍ରମିକ ସାଧାରଣତଃ ଦିନ ମଜୁରିଆ, ସୁରକ୍ଷାକର୍ମୀ, ଗାଡ଼ିଚାଳକ, ଗୃହ ଚାକର-ଚାକରାଣୀ ଏବଂ ଗୃହରକ୍ଷୀ ପ୍ରମୁଖ ଏହି ଅସନ୍ତୁଳନର ଅଧିକ ଶିକାର ହୋଇଛନ୍ତି। କରୋନା କାରଣରୁ ‘ଶ୍ରେଣୀ ସଂଘର୍ଷ’ ଆଜି ‘ଜନ ସଂଘର୍ଷ’ର ଏକ ଭିନ୍ନ ରୂପ ନେଇଛି। ନିଆଁରେ ଘିଅ ଢାଳିବା ସଦୃଶ, ବୈଷୟିକ ପ୍ରଗତି, କୃତ୍ରିମ ବୁଦ୍ଧି, ସ୍ବୟଂଚାଳିତ ଏବଂ ରୋବୋଟିକ୍ସ କାରଣ ଶ୍ରମିକମାନଙ୍କ ମଧ୍ୟରେ ବେକାରି ଏବଂ ଦୁଃଖ ବଢେଇବା ସଙ୍ଗେ ସଙ୍ଗେ ଏଭଳି ଏକ ମହାମାରୀକୁ ପ୍ରସାରିତ କରୁଛି।
କୋଭିଡ୍‌-୧୯ ମଧ୍ୟରେ ଶ୍ରମ ଅସନ୍ତୁଳନର ଏକ ନିଆରା ରୂପ ପ୍ରତିଫଳିତ ହେବାକୁ ଯାଉଛି, ଯାହା ଶ୍ରମିକମାନଙ୍କ ଜୀବନ ଏବଂ ଶିଳ୍ପ ଉତ୍ପାଦନ ଉପରେ ପ୍ରଭାବ ପକାଇବ। ଏତଦ୍ୱାରା ଆମ ଦେଶର ଜାତୀୟ ଆୟ ହ୍ରାସ ହେବା ସଙ୍ଗେ ସଙ୍ଗେ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିବ। ଶ୍ରମିକମାନଙ୍କ ବିସ୍ଥାପନ ଓ ପଳାୟନ ଯୋଗୁ ଶ୍ରମଭିତ୍ତିକ ଶିଳ୍ପଗୁଡିକ ଶ୍ରମବଜାରରେ ଏକ ‘ଶ୍ରମ ଅଭାବ’ ପରିସ୍ଥିତିର ସମ୍ମୁଖୀନ ହେବେ, ଯଦ୍ଦ୍ବାରା ଏହି ଶିଳ୍ପଗୁଡ଼ିକ ନିଜର ସର୍ବୋତ୍ତମ କ୍ଷମତା ଅନୁଯାୟୀ କାର୍ଯ୍ୟକ୍ଷମ ହୋଇପାରିବେ ନାହିଁ। ଶ୍ରମ ଅଭାବ ହେତୁ, ଉତ୍ପାଦନ ଏବଂ ଉତ୍ପାଦକତା ଯଥେଷ୍ଟ ହ୍ରାସ ପାଇବ। ସେହିଭଳି ଗ୍ରାମାଞ୍ଚଳରେ ଶ୍ରମ ଯୋଗାଣ ଶ୍ରମର ଚାହିଦାକୁ ଅତିକ୍ରମ କରିବ। ଫଳରେ ‘ଶ୍ରମର ଅତିରିକ୍ତ ଯୋଗାଣ’ ପରିସ୍ଥିତି ସୃଷ୍ଟି ହେବ ଓ ସେହି କାରଣରୁ ବେକାରି ସମସ୍ୟା ଆହୁରି ବଢ଼ିବ। ଏହି ଅସମାନତା, ଶ୍ରମ ବଜାରରେ ଅସନ୍ତୁଳନ ସୃଷ୍ଟି କରି,ଏକ ନୂତନ ପ୍ରକାର ଆର୍ଥିକ ସଙ୍କଟ ସୃଷ୍ଟି କରିବ, ଯାହା କି ଆୟ, ଉତ୍ପାଦନ ଏବଂ ରୋଜଗାର ଉପରେ ନକାରାତ୍ମକ ପ୍ରଭାବ ପକାଇବ। କରୋନାର ବ୍ୟାପକତା ଏବଂ ଭୟାବହତା ହେତୁ ଏହି ଅବସ୍ଥା ଦୀର୍ଘକାଳ ସ୍ଥାୟୀ ରହିବାର ସମ୍ଭାବନା ଅଛି ଏବଂ ସେଥିପାଇଁ ଏକ ଗମ୍ଭୀର ଆର୍ଥିକ ସଙ୍କଟ ସୃଷ୍ଟି ହେବ।
ଏସବୁ ମଧ୍ୟରେ ସ୍ଥାନାନ୍ତର ସମସ୍ୟା, ରୋଜଗାରର ଅଭାବ, ବେତନ ଅସମାନତା ଇତ୍ୟାଦି ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ହେବ। ରୋଜଗାର ସମସ୍ୟା ସହିତ ଶ୍ରମିକଙ୍କ ବହିଷ୍କାର ଏବଂ ପଳାୟନ ଯୋଗୁ ଲକ୍ଷ ଲକ୍ଷ ଶ୍ରମିକଙ୍କ ପିଲାମାନଙ୍କ ପାଠପଢା, ସାସ୍ଥ୍ୟ ଓ ମାନସିକ ଅସନ୍ତୁଳନ ବଢିବ। କରୋନା ସଂକ୍ରମଣ କାରଣରୁ ଶ୍ରମିକଙ୍କ ସ୍ଥାନାନ୍ତର ସମୟରେ ଅନେକ ହୃଦୟବିଦାରକ ଘଟଣା ଘଟିଛି, ଯେପରି କି ଔରଙ୍ଗାବାଦରେ ରେଳ ଧାରଣାରେ କଟିବା ଦ୍ୱାରା ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଏବଂ ଔରେୟାଠାରେ ଟ୍ରକ୍‌ ଧକ୍କାରେ ୨୪ ଜଣ ଶ୍ରମିକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ଏପରି ବିପର୍ଯ୍ୟୟ ସମୟରେ ମୃତ୍ୟୁକୁ ଏଡାଇବା ପାଇଁ ଲକ୍ଷ ଲକ୍ଷ ଶ୍ରମିକ ଜୀବିକା ହରାଇ, ଭୋକଶୋଷରେ ଶହ ଶହ କିଲୋମିଟର ଚାଲି ଚାଲି ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ମେ’ ମାସର ପ୍ରଚଣ୍ଡ ତାପରେ ମାଆମାନେ ଛୋଟ ପିଲାମାନଙ୍କୁ ଅତ୍ୟନ୍ତ କଷ୍ଟରେ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଥିବା ଦେଖି କାହାର ହୃଦୟ ପ୍ରଭାବିତ ନ ହେବ! ଶ୍ରମିକମାନଙ୍କର ଅଗ୍ରଦୂତ କାର୍ଲ ମାର୍କ୍ସ ଏହି ପ୍ରକାର ବିପର୍ଯ୍ୟୟ ଏବଂ ଏହାର ପରିଣାମ ବିଷୟରେ କେବେ ବି ଚିନ୍ତା କରି ନ ଥିବେ।
ପ୍ରବାସୀ ସମସ୍ୟାର ସମାଧାନ ଠିକ୍‌ ଭାବରେ କରାଯାଇ ନାହିଁ। ଯଦିଓ ସରକାର କିଛି କାର୍ଯ୍ୟ କରୁଛନ୍ତି କିନ୍ତୁ ତାହା ସକ୍ରିୟ ଏବଂ ନ୍ୟାୟପୂର୍ଣ୍ଣ ଭାବରେ କରାଯାଇ ପାରିଥାନ୍ତା। ଶ୍ରମିକମାନେ ନିର୍ଦ୍ଦିଷ୍ଟ ନୀତିର ଅଭାବରୁ ଏବଂ ଠିକ୍‌ ସମୟରେ ପଦକ୍ଷେପ ନ ନେବା କାରଣରୁ ଯନ୍ତ୍ରଣା ଭୋଗୁଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସେପରି କିଛି ସଂଗଠିତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତଥାପି ଏହି ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଘୋଷିତ କୋଡିଏ ଲକ୍ଷ କୋଟି ଟଙ୍କା ରିଲିଫ ପ୍ୟାକେଜରୁ କେନ୍ଦ୍ର ସରକାର ୩.୧୬ ଲକ୍ଷ କୋଟି ଟଙ୍କା ପ୍ରବାସୀ ଶ୍ରମିକ, କୃଷକ ଏବଂ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆବଣ୍ଟିତ କରିଛନ୍ତି। ଏଥିସହିତ ଭାରତ ସରକାର ମନରେଗା ଦୈନିକ ମଜୁରିକୁ ୨୦୨ ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା ୫ କୋଟିରୁ ଅଧିକ ଗରିବ ପରିବାରକୁ ଉପକୃତ କରିବ। ରାଜ୍ୟ ସରକାର ମଧ୍ୟ ସେମାନଙ୍କ ସ୍ତରରେ ଗରିବ ଲୋକଙ୍କୁ ଖାଦ୍ୟ ଏବଂ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।
ଏହି ପ୍ରତ୍ୟାବର୍ତ୍ତନ ହେତୁ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର କିମ୍ବା ବାସଗୃହ ଭଳି ଗ୍ରାମ୍ୟ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ହଠାତ୍‌ ଚାପକୁ ଠିକ୍‌ ଭାବରେ ସମାଧାନ କରାଯିବା ଆବଶ୍ୟକ। କୃଷି, ପଶୁପାଳନ, ମତ୍ସ୍ୟଚାଷ, କୁକୁଡ଼ାପାଳନ, ଉଦ୍ୟାନ କୃଷି ଇତ୍ୟାଦି ଉପରେ ସମୟୋଚିତ, ନୀତିଗତ ନିଷ୍ପତ୍ତି ଗ୍ରହଣ କରି ସ୍ଥାୟୀ ସମାଧାନର ପନ୍ଥା ଖୋଜିବା ଉଚିତ। ଏପରି ପରିସ୍ଥିତିର ମୁକାବିଲା ପାଇଁ ଏକ ସ୍ଥାୟୀ ଏବଂ ନିର୍ଭରଯୋଗ୍ୟ ବ୍ୟବସ୍ଥା ଗଠନ କରିବାର ବହୁତ ଆବଶ୍ୟକତା ଅଛି। ଯଦି ପ୍ରଭାବିତ ଲୋକମାନେ, ବିଶେଷ ଭାବରେ ଶ୍ରମିକ ଏହି ସଙ୍କଟ ସମୟରେ ସେମାନଙ୍କ ଜୀବନ ଏବଂ ଜୀବିକା ନିର୍ବାହ କରିବାରେ ସକ୍ଷମ ନ ହୁଅନ୍ତି, ତେବେ ଏହା ମାନବ ଜାତି ପାଇଁ ଏକ ବଡ଼ ଅନ୍ୟାୟ ହେବ।
ଏଭଳି ସମୟରେ ସ୍ଥାନୀୟ ତଥା ଜାତୀୟ ଗଣମାଧ୍ୟମ, ଏହି ପ୍ରବାସୀ ଶ୍ରମିକଙ୍କ ଜୀବନଯନ୍ତ୍ରଣା ଏବଂ ସେମାନଙ୍କ ବିସ୍ଥାପନ ବିଷୟରେ ଠିକ୍‌ ସୂଚନା ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହାବ୍ୟତୀତ ସମଗ୍ର ଭାରତରେ ବହୁ ସଂଖ୍ୟକ ସ୍ବେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତିବିଶେଷ ପ୍ରବାସୀଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସେହିପରି ପୋଲିସ ଏବଂ ଚିକିତ୍ସା ସେବାରେ ନିୟୋଜିତ କର୍ମୀମାନେ ମଧ୍ୟ ସେବା ଯୋଗାଇବାରେ ଦିନରାତି କଠିନ ପରିଶ୍ରମ କରୁଛନ୍ତି, ଯାହା ପ୍ରଶଂସନୀୟ। ଏପରି ଏକ ମହା ସଙ୍କଟ କାଳରେ ସରକାର ଯଦି ପ୍ରବାସୀ ଶ୍ରମଜୀବୀଙ୍କର ଜୀବିକା ଓ ସ୍ବାସ୍ଥ୍ୟଗତ ଥଇଥାନ ନିମିତ୍ତ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଗଣତନ୍ତ୍ର ମଧ୍ୟ ତାହାର ମୂଲ୍ୟ ଓ ଭରସା ହରାଇବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri