କରୋନା ଭୟ: ବିଦେଶୀ ପର୍ଯ୍ୟଟକ ଦେଖି ପାଟିତୁଣ୍ଡ କଲେ ଲୋକେ, ଜଙ୍ଗଲରୁ ଉଦ୍ଧାର

ଠାକୁରମୁଣ୍ଡା,୨୪ା୩(ଡ଼ି.ଏନ୍‌.ଏ.)- ଇସ୍ରାଏଲରୁ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା ଜଣେ ପର୍ଯ୍ୟଟକଙ୍କୁ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଛି। ସେ ଏକ ବାଇକ୍‌ରେ କେତେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବାନ୍ଧି ଠାକୁରମୁଣ୍ଡା-ଉଦଳା ରାସ୍ତା ଦେଇ ଯାଉଥିବା ବେଳେ ପତ୍ରପଡା ନିକଟରେ ଅଟକି ଥିଲେ। କରୋନା ଲାଗି ଭୟଭୀତ ହୋଇପଡିଥିବା ସ୍ଥାନୀୟ ଲୋକେ ସେଠାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ଉପସ୍ଥିତି ଦେଖି ଏହାକୁ ସହଜରେ ଗ୍ରହଣ କରି ନ ପାରି ନ ଥିଲେ। ସେମାନେ ପାଟିତୁଣ୍ଡ କରିବାରୁ ବିଦେଶୀ ପର୍ଯ୍ୟଟକ ଜଣଙ୍କ ଭୟରେ ରାସ୍ତାକଡ଼ ଜଙ୍ଗଲ ମଧ୍ୟକୁ ପଶି ଯାଇଥିଲେ। ଲୋକେ ପିଛା କରି ତାଙ୍କୁୁ ଅଟକ ରଖିଥିଲେ। ସ୍ଥାନୀୟ ବନ କର୍ମଚାରୀ ଏହା ଜାଣି ଘଟଣାସ୍ଥଳକୁ ଯାଇ ଏ ସମ୍ପର୍କରେ ମହୁଲଡିହା ଥାନକୁ ଜଣାଇଥିଲେ। ପୋଲିସ ପହଞ୍ଚି ସେଠାରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲା। ପରେ ସ୍ବାସ୍ଥ୍ୟ ପରୀକ୍ଷା ସକାଶେ ତାଙ୍କୁ ଆଣଇ ଅପରାହ୍ନ ସାଢେ ୪ଟାରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷା ପରେ ବିଦେଶୀ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତର କହିଛନ୍ତି। ଖବର ପାଇ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ ଏବଂ ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିଥିଲେ। ଏହି ବିଦେଶୀ ପର୍ଯ୍ୟଟକ ଗତ ଜାନୁୟାରୀରେ ପାସପୋର୍ଟ କରି ଭାରତକୁ ଆସି ବିଭିନ୍ନ ସ୍ଥାନ ଭ୍ରମଣ କରୁଥିଲେ। ସେ କେରଳରୁ ବାଇକ୍‌ ଧରି ଓଡ଼ିଶା ଆସି ମୟୂରଭଞ୍ଜ ପରିଦର୍ଶନରେ ଆସିଥିଲେ ବୋଲି ପୋଲିସ କହିଛି। ଠାକୁରମୁଣ୍ଡାରେ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବାରିପଦା ପଠାଯାଇଛି। ତାଙ୍କୁ ଛଡାଯିବ କିମ୍ବା ଅଧିକ ଚିକିତ୍ସା କରାଯିବ ସେ ନେଇ ମୟୂରଭଞ୍ଜ ଜିଲାପାଳି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।