କରୋନା ପ୍ରଭାବ: ଚଢ଼ା ଦର ନେଉଛନ୍ତି ବ୍ୟବସାୟୀ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ, ଦର ନିୟନ୍ତ୍ରଣ କରିବାକୁ ଦାବି

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ମଙ୍ଗଳବାର ମଧ୍ୟରାତ୍ରରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ମହାମାରୀର କୌଣସି ପ୍ରତିକାର ନ ଥିବାରୁ ଲୋକମାନେ ନିଜର ତଥା ପରିବାର ବର୍ଗଙ୍କ ଜୀବନ ବଞ୍ଚାଇବା ପାଇଁ ପଦାକୁ ନ ବାହାରିବା ସକାଶେ ରାଜ୍ୟ ସରକାର ବାରମ୍ବାର ନିବେଦନ କରୁଛନ୍ତି। ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ତେଜରାତି, ଫଳ, ପନିପରିବା, ମାଛ, ମାଂସ, ଅଣ୍ଡା, ଚିକେନ୍‌, ଔଷଧ ଆଦି ଦୋକାନ ଖୋଲା ରହିଛି। କାଁ ଭାଁ ତେଜରାତି ଦୋକାନ ଖୋଲା ରହିଥିବା ବେଳେ ଏ ସବୁ ଦୋକାନରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ର ସୁଯୋଗ ନେଇ ଗ୍ରୋସରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦୋକାନଗୁଡିକ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିଛନ୍ତି।
ହୋଲ୍‌ସେଲ୍‌ ବଜାରରେ ଆଳୁ କିଲୋ ୧୪ରୁ ୧୫ ଟଙ୍କା ମଧ୍ୟରେ ମିଳୁଥିବା ବେଳେ ଦୁର୍ନୀତିଖୋର ବ୍ୟବସାୟୀମାନେ କିଲୋ ପ୍ରତି ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି ପିଆଜର ହୋଲ୍‌ସେଲ୍‌ ଦର ୨୦ରୁ ୨୨ ଟଙ୍କା ଥିବାବେଳେ ଖୁଚୁରା ବ୍ୟବସାୟୀମାନେ ଲକ୍‌ଡାଉନ୍‌ର ସୁଯୋଗ ନେଇ କିଲୋପ୍ରତି ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଗୋଟିଏ ପଟେ କାମଧନ୍ଦା ବନ୍ଦ ଥିବାବେଳେ ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଗରିବ ଓ ଦିନମଜୁରିଆ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। କେବଳ ଆଳୁ, ପିଆଜ ନୁହେଁ ଡାଲି, ତେଲ, ପନିପରିବା ଆଦିର ଦର ମଧ୍ୟ ଆକାଶଛୁଆଁ ହୋଇଛି। ଲକ୍‌ଡାଉନ୍‌ ଯୋଗୁ କୌଣସି ମାଲ ଆସୁ ନ ଥିବା ଆଳ ଦେଖାଇ ବ୍ୟବସାୟୀମାନେ ଚଢ଼ା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଜଣାପଡ଼ିଛି। ଏହାକୁ ନେଇ ସାଧାରଣରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଏହି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।