କରୋନାରେ ମୃତ୍ୟୁ ସନ୍ଦେହ: କୁଏତରୁ ପୁଅଙ୍କ ମୃତଦେହ ଆଣିବାକୁ ବାପାଙ୍କ ନିବେଦନ

ଛତ୍ରପୁର, ୨୦।୫(ଡି.ଏନ୍‌.ଏ.)- କୁଏତରେ ମଙ୍ଗଳବାର ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ କାଳୀପାଲି ପଞ୍ଚାୟତ ବଡପୁଟି ଗାଁର ଡି. ଗଣପତିଙ୍କ ପୁଅ ରମେଶ(୨୯)। ତାଙ୍କର ମୃତଦେହ ଭାରତକୁ ଆଣିବାର ବ୍ୟବସ୍ଥା କରିବା ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲା ଶ୍ରମ ଅଧିକାରୀ ଶିବ ସାହୁଙ୍କୁ ଯୁବକଙ୍କ ବାପା ନିବେଦନ କରିଥିବା ସୂଚନା ମିଳିଛି।

ସେ କହିଛନ୍ତି, ଛନ୍ତି ରମେଶ କୁଏତରେ ଥିବା ଏକ ଷ୍ଟିଲ କମ୍ପାନୀରେ ୱେଲ୍ଡର ଭାବେ କାମ କରୁଥିଲେ। ମାସିକ ସେ ୩୦ ହଜାର ଟଙ୍କା ଦରମା ପାଉଥିଲେ। ସେ ୧୦ ଦିନ ହେଲା ଥଣ୍ଡା, କାଶ ରେ ପୀଡିତ ଥିଲେ। ଗତ ୬ ଦିନ ପୂର୍ବେ ନିକଟସ୍ଥ ମେଡିକାଲରେ ସେ ନିଜର କୋଭିଡ ଟେଷ୍ଟ କରିଥିଲେ। ହେଲେ ସେଥିରେ ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ଏହାପରେ ମଧ୍ୟ ସେ ଅସୁସ୍ଥ ଥିଲେ। ଏଣୁ କରୋନାରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରକୁ ଫୋନରେ ଖବର ଆସିଥିଲା। ତାଙ୍କର ୨ ଟି ଝିଅ ଅଛନ୍ତି।

ତେବେ ଏନେଇ ଶ୍ରମ ବିଭାଗ ପକ୍ଷରୁ ତଦନ୍ତ କରାଯାଇଛି। ଏହି ରିପୋର୍ଟ ଜ଼ିଲାପାଳ ଓ ଶ୍ରମ କମିଶନରଙ୍କୁ ପଠାଯିବ ବୋଲି ବୁଧବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି।