କପି ଧରିବାରୁ ଶିକ୍ଷକଙ୍କୁ ଆକ୍ରମଣ

ପୁରୀ ଅଫିସ,୫ା୩: କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମାଲୁଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ବିଦ୍ୟାର୍ଥୀର କପି ଧରିବାକୁ କେନ୍ଦ୍ରକରି ଜଣେ ଶିକ୍ଷକ ଆକ୍ରମଣର ଶିକାର ହୋଇଥିବା ନେଇ ମଙ୍ଗଳବାର କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବୁଧବାର ଥାନାରେ ଆଇପିସି ୩୪୧, ୨୯୪, ୩୫୩, ନଂ. ୨୨/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ହାଇସ୍କୁଲରେ ଶିକ୍ଷକ ଅଜୟ କୁମାର ଜେନା ଓ ସ୍ତ୍ରୀ କବିତା ଦଲାଇ ଶିକ୍ଷକତା କରୁଛନ୍ତି। ଗତ ୨ତାରିଖରେ ମାଟ୍ରିକର ଶେଷ ପରୀକ୍ଷାରେ ସେ ଜଣେ ବିଦ୍ୟାର୍ଥୀଙ୍କ କପି କରୁଥିବା ଜାଣି ଧରିଥିଲେ। ଶେଷରେ ଡ୍ୟୁଟି ସାରି ଅଜୟ ଓ ତାଙ୍କ ସ୍ତ୍ରୀ ବାଇକରେ ଘରକୁ ଫେରୁଥିଲେ। ତେବେ ସ୍କୁଲ ଗେଟ୍‌ରୁ କିଛି ବାଟ ଦୂରରେ ଜଣେ ବ୍ୟକ୍ତି ହଠାତ୍‌ କାହିଁକି ମୋ ପୁଅର କପି ଧରିଲ ବୋଲି କହି ଗାଳିଗୁଳଜ କରିବା ସହ ଦମ୍ପତିକୁ ଆକ୍ରମଣ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି।