କଣିହାଁରେ ଅମାନବୀୟ ଦୃଶ୍ୟ: ବସ୍ତା ପରି ବାଇକ୍‌ରେ ଜ୍ୱାଇଁଙ୍କୁ ବାନ୍ଧିନେଲେ

କଣିହାଁ, ୨୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ ମାରି ଏକ ବାଇକ ପଛରେ ବସ୍ତା ପରି ବାନ୍ଧି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ କଣିହାଁ ପୋଲିସ ନଂ. ୭୧/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ତାଳଚେର କଲିୟାରୀ ଥାନା ଗୋପାଳପ୍ରସାଦ ଫାଣ୍ଡି ଅନ୍ତର୍ଗତ ବନବାସପୁର ଗ୍ରାମର ଦୁଃଖବନ୍ଧୁ ସାହୁ କଣିହାଁ ଥାନା ସାନତ୍ରିବିଡା ଗ୍ରାମରେ ବିବାହ କରିଥିଲେ। କଣିହାଁ ଥାନା ଦଣ୍ଡସିଂହା ଗ୍ରାମସ୍ଥିତ ତାଙ୍କ ମାମୁ ଘରେ ଅଜାଆଈଙ୍କ ପାଖରେ ସ୍ତ୍ରୀଙ୍କ ସହ ସେ ରହୁଥିଲେ। ଏମ୍‌ସିଏଲରେ ଜମି ହରାଇଥିବାରୁ ତାଙ୍କୁ ପ୍ରକଳ୍ପରେ ନିଯୁକ୍ତି ମଧ୍ୟ ମିଳିଛି। ଗତ ୧୫ ତାରିଖରେ ଦୁଃଖବନ୍ଧୁ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାକୁ ନେଇ ୧୬ ତାରିଖରେ ଶ୍ୱଶୁର ଭିକାରୀ ଭୁତିଆ, ଶଳା ନେଙ୍କୁରୀ ଭୁତିଆ ଓ ଭାବ ଭୁତିଆ ତାଙ୍କୁ ମାଡ଼ ମାରି ବେହୋସ କରିଦେଇଥିଲେ। ପରେ ତାଙ୍କୁ ଏକ ବାଇକ୍‌ରେ ବାନ୍ଧି କେଉଁଆଡେ ନେଉଥିବାବେଳେ କେହି ଜଣେ ପୋଲିସକୁ ଖବର ଦେଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ସେମାନେ ଦୁଃଖବନ୍ଧୁଙ୍କୁ ଖୋଲି ଦେଇଥିଲେ। ପୋଲିସ ତାଙ୍କୁ କଣିହାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଥାନାରେ ବୁଝାମଣା ହୋଇ ମାମଲାର ସମାଧାନ ହୋଇଥିଲା। ଏହା ପରେ ଦୁଃଖବନ୍ଧୁ ଶ୍ୱଶୁର ଘରକୁ ଯାଇଥିଲେ। ୨୧ ତାରିଖରେ ସେ ଶ୍ୱଶୁର ଘରୁ ଆସିବା ପରେ ଗୁରୁବାର କଣିହାଁ ଥାନାରେ ଏ ବାବଦରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରପଞ୍ଚ ଦୁଃଖବନ୍ଧୁ ଭୁତିଆ, ସାମାଜିକକର୍ମୀ ଶାନ୍ତି ବେହେରା ଦାବି କରିଛନ୍ତି।