କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ, ମାମଲା ଦାୟର କଲେ ନରସିଂହ

ବଲାଙ୍ଗୀର ଅଫିସ, ୨୩ା୪-ମହାରାଷ୍ଟ୍ରର ପାଲଘର ମବ୍‌ ଲିଚିଂ ଘଟଣାର ପ୍ରସାରଣରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଦଳ ବିରୋଧରେ ଅପମାନଜନକ ମନ୍ତବ୍ୟ ରଖିଥିଲେ ଜାତୀୟସ୍ତରର ଏକ ବୈଦ୍ୟୁତିକ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ। ତାଙ୍କ ବିରୋଧରେ ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ବୁଧବାର ରାତିରେ ବିଧାୟକ ମିଶ୍ର ଟାଉନ ଥାନାକୁ ଆସି ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ। ପାଲଘର ମବ୍‌ ଲିଚିଂ ଘଟଣାରେ ଦୁଇଜଣ ସାଧୁଙ୍କୁ ଲୋକେ ପିଟି ପିଟି ମାରଦେବା ଘଟଣାର ପ୍ରସାରଣ ବେଳେ ସମ୍ପୃକ୍ତ ଟିଭି ମୁଖ୍ୟ ସମ୍ପାଦକ ଜଣକ ସୋନିଆ ଗାନ୍ଧୀ ଓ ତାଙ୍କ ଦଳ ବିରୋଧରେ ଅଶାଳୀନ ମନ୍ତବ ଦେବା ସହ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିକାରୀ ବକ୍ତବ୍ୟ ରଖିଥିଲେ। ଏହା ଆଇନ ବିରୋଧୀ କହି ବିଧାୟକ ମିଶ୍ର ଅଭିଯୋଗ ପତ୍ର ଦାଖଲ କରିଛନ୍ତି।