Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌, ରସେଲ

ସେଣ୍ଟ ଜନ୍ସ, ୨୫।୪(ପି.ଟି.)- ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ବିଶ୍ୱକପ ପାଇଁ ବୁଧବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷିତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ବିସ୍ଫୋରକ ବ୍ୟାଟିଂ ପାଇଁ ଆନ୍ଦ୍ରେ ରସେଲଙ୍କୁ ଓ୍ବେଷ୍ଟଇଣ୍ଡିଜ ଦଳରେ ସ୍ଥାନ ମିଳିଛି। ୪୦ ବର୍ଷୀୟ କ୍ରିସ୍‌ ଗେଲ୍‌ଙ୍କୁ ମଧ୍ୟ ଦଳରେ ନିଆ ଯାଇଛି। ଏହା ତାଙ୍କର ଶେଷ ବିଶ୍ୱକପ ହେବ। ଚଳିତ ଆଇପିଏଲରେ ରସେଲ ନିଜ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସକୁ ୪ଟି ମ୍ୟାଚରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କେରନ ପୋଲାର୍ଡ ଓ ନାଇଟ ରାଇଡର୍ସର ସୁନୀଲ ନାରିନ୍‌ଙ୍କୁ ଦଳରେ ନିଆ ଯାଇନାହିଁ। ବିଶ୍ୱକପରେ ଗେଲ୍‌ଙ୍କ ଓପନିଂ ପାର୍ଟନର ହେବେ ଇଭିନ୍‌ ଲିଓ୍ବିସ। ଯୁବ ଖେଳାଳି ସାଇ ହୋପ୍‌ ଏବଂ ଶିମରନ ହେଟ୍‌ମେରଙ୍କ ଉପରେ ଚୟନକର୍ତ୍ତା ଆସ୍ଥା ସ୍ଥାପନ କରିଛନ୍ତି। ଆହତ ଆଲଜାରି ଜୋସେଫଙ୍କୁ ନିଆଯାଇ ନ ଥିବାବେଳେ ଭେଟେରାନ କେମର ରୋଚ୍‌ଙ୍କ ଓ୍ବେଷ୍ଟଇଣ୍ଡିଜ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ।

ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର(ଅଧିନାୟକ), ଆନ୍ଦ୍ରେ ରସେଲ, ଆଶଲେ ନର୍ସ, କାର୍ଲୋସ ବ୍ରାଥଓ୍ବେଟ, କ୍ରିସ୍‌ ଗେଲ୍‌, ଡାରେନ ବ୍ରାଭୋ, ଇଭିନ ଲିଓ୍ବିସ, ଫାବିଆନ ଆଲେନ, କେମର ରୋଚ୍‌, ନିକୋଲାସ ପୁରନ(ଉଇକେଟ କିପର), ଓଶାନେ ଥୋମାସ, ଶାଇ ହୋପ୍‌, ଶାନନ ଗାବ୍ରିଏଲ, ଶେଲଡନ କୋଟ୍ରେଲ, ଶିମରନ ହେଟମେର।

Share