Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷିତ

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଶନିବାର ଜାସନ ହୋଲ୍ଡରଙ୍କ ନେତୃତ୍ୱରେ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଇଂଲଣ୍ଡକୁ ୨-୧ ବ୍ୟବଧାନରେ ପରାସ୍ତ କରିଥିବା ଓ୍ବେଷ୍ଟଇଣ୍ଡିଜ ଦଳରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଦ୍ରୁତ ବୋଲର ଆଲଜେରି ଜୋସେଫ ଓ ବାମହାତୀ ସ୍ପିନର ଜୋମେଲ ଓ୍ବାରିକାନ ଆହତ ସମସ୍ୟା ଯୋଗୁ ଦଳରୁ ବଦ୍‌ ପଡ଼ିଛନ୍ତି। ଏଥିଯୋଗୁ ସ୍ପିନ ଅଲରାଉଣ୍ଡର ରକିମ କର୍ନଓ୍ବାଲ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବାକୁ ସୁଯୋଗ ମିଳିଛି। ୫ ବର୍ଷ ତଳେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିବା ସ୍ପିନର ଏପର୍ଯ୍ୟନ୍ତ ୨୬୦ ଉଇକେଟ ନେଇ ସାରିଛନ୍ତି। ଆଉ ବ୍ୟାଟିଂରେ ୫୫ ଇନିଂସରେ ଗୋଟିଏ ଶତକ ସହ ୧୩ ଅର୍ଦ୍ଧଶତକ ଲଗାଇଛନ୍ତି। ଏଭଳି ପ୍ରଦର୍ଶନ ଯୋଗୁ ତାଙ୍କୁ ଜାତୀୟ ଦଳରେ ସୁଯୋଗ ଦିଆଯାଇଛି। ଓ୍ବେଷ୍ଟଇଣ୍ଡିଜ ଏ’ ଦଳର ଅଧିନାୟକ ଶାମାର୍ହ ବ୍ରୁକ୍ସଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।
ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରେଗ ବ୍ରାଥଓ୍ବେଟ, ଡାରେନ ବ୍ରାଭୋ, ଶାମାର୍ହ ବ୍ରୁକ୍ସ, ଜନ କାମ୍ପବେଲ, ରଷ୍ଟୋନ ଚେଜ, ରକିମ କର୍ନଓ୍ବାଲ, ଶାନେ ଡଓ୍ବିଚ, ଶାନନ ଗାବ୍ରିଏଲ, ଶିମରନ ହେଟମାୟର, ଶାଇ ହୋପ, କିମୋ ପଲ ଓ କେମାର ରୋଚ।

Share