Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ବ୍ରାଭୋ

ସେଣ୍ଟ ଜଜର୍‌ସ,୧୩ା୧ (ଏଏଫ୍‌ପି)- ଚଳିତ ମାସର ପରବର୍ତ୍ତୀ ଭାଗରେ ହେବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳରେ ଦକ୍ଷ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ସାମିଲ କରାଯାଇଛି। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଜାତୀୟ ଦଳକୁ ଫେରିଛନ୍ତି। ସେ ଅନ୍ତିମ ଥର ୨୦୧୬ ଟି୨୦ ବିଶ୍ୱକପ୍‌ରେ ଜାତୀୟ ଦଳ ପାଇଁ ପ୍ରତିନିଧିତ୍ୱ କରିଥିଲେ। ଚଳିତବର୍ଷ ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍‌କୁ ଦୃଷ୍ଟି ରଖି ଏହି ଦଳ ଚୟନ କରାଯାଇଛି। ଡେଥ ବୋଲିଂ ୟୁନିଟ୍‌କୁ ଶକ୍ତିଶାଳୀ କରିବା ପାଇଁ ବ୍ରାଭୋ ଦଳରେ ସାମିଲ କରାଯାଇଛି। ଉକ୍ତ ବିଭାଗରେ ଆମକୁ ଉନ୍ନତି କରିବାର ଅଛି। ଆଉ ଏହି ବିଭାଗରେ ବ୍ରାଭୋଙ୍କ ରେକର୍ଡ ଖୁବ୍‌ ଭଲ ଓ ତାଙ୍କ ନିକଟରେ ଅଭିଜ୍ଞତା ମଧ୍ୟ ରହିଛି ବୋଲି ଓ୍ବେଷ୍ଟଇଣ୍ଡିଜର ମୁଖ୍ୟ ଚୟନକର୍ତ୍ତା ରୋଜର ହାର୍ପର କହିଛନ୍ତି। ସେ ୬୬ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ୫୨ ଉଇକେଟ ନେବା ସହ ୧୧୪୨ ରନ୍‌ କରିଛନ୍ତି। ତାଙ୍କ ପୂରା କ୍ୟାରିୟରର ବିବାଦରେ ଘେରି ହୋଇ ରହିଥିଲେ। ମୋଟ ୪୦ ଟେଷ୍ଟର ଅନ୍ତିମ ଥର ୨୦୧୦ ଓ ୨୦୧୪ରେ ଅନ୍ତିମ ଦିନିକିଆ ଖେଳିଥିଲେ। ତାଙ୍କ ବ୍ୟତୀତ ଅଲରାଉଣ୍ଡ ରବମାନ ପାଓ୍ବେଲ ସ୍ଥାନ ପାଇଥିବାବେଳେ ନିୟମିତ ଅଧିନାୟକ ଜାସନ ହୋଲ୍ଡରଙ୍କୁ ବିଶ୍ରାମ ଦିଆଯାଇଛି।

Share