Categories: ଖେଳ

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦକୁ ଫେରିଲେ ସିମନ୍ସ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୧୫।୧୦ (ଏଏଫ୍‌ପି)- ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର କୋଚ୍‌ ପଦକୁ ପୁଣିଥରେ ଫିଲ୍‌ ସିମନ୍ସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ସିମନ୍ସ ମୁଖ୍ୟ କୋଚ୍‌ ରହିବେ ବୋଲି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ତିନିବର୍ଷ ତଳେ ଏକ ବିବାଦୀୟ ପରିସ୍ଥିତିକ୍ରମେ ସିମନ୍ସଙ୍କୁ ଜାତୀୟ କ୍ରିକେଟ୍‌ ଦଳର କୋଚ୍‌ ପଦରୁ ବହିଷ୍କାର କରାଯାଇଥିଲା। ସେ ୨୦୧୬ ଆଇସିସି ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ଓ୍ବେଷ୍ଟଇଣ୍ଡିଜ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଏହି ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା। ଅଧିନାୟକ କାର୍ଲୋସ ବ୍ରାଥଓ୍ବେଟ୍‌ ଅନ୍ତିମ ଓଭରରେ ବେନ୍‌ ଷ୍ଟୋକ୍ସଙ୍କୁ ଲଗାତର ୪ ଛକା ମାରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ଏହାପରେ ପାରିଶ୍ରମିକ କାରଣ ଯୋଗୁ ୫୬ ବର୍ଷୀୟ ସିମନ୍ସଙ୍କୁ ବାହାର କରି ଦିଆଯାଇଥିଲା। ‘ଠିକ୍‌ ସମୟରେ ସିଡବ୍ଲ୍ୟୁଆଇ ଠିକ୍‌ ବ୍ୟକ୍ତିଙ୍କୁ ଏହି ପଦ ପାଇଁ ଚୟନ କରିଛି’ ବୋଲି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ର ସଭାପତି ରିକି ସ୍କ୍ରେରିଟ୍ଟ କହିଛନ୍ତି। ସିମନ୍ସଙ୍କ ପ୍ରଶିକ୍ଷଣ କାଳରେ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ କ୍ରିକେଟ୍‌ରେ କିନ୍ତୁ ଆଶାନୁରୂପକ ପ୍ରଦର୍ଶନ କରିପାରି ନ ଥିଲା। ମୋଟ୍‌ ୧୪ ଟେଷ୍ଟରୁ ଦଳ ମାତ୍ର ଗୋଟିଏରେ ବିଜୟ ସ୍ବାଦ ଚାଖିଥିଲା।

Share