Categories: ଖେଳ

ଓସିଏ: ଚୟନକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

କଟକ ଅଫିସ,୨୭ା୫ : ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଚୟନକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ପୁନର୍ବାର ଆରମ୍ଭ ହୋଇଛି। କରୋନା କଟକଣା ନିମନ୍ତେ ଏହି ପ୍ରକ୍ରିୟାକୁ ସାମୟିକ ସ୍ଥଗିତ ରଖାଯାଇଥିଲା। ଇଚ୍ଛୁକ ବ୍ୟକ୍ତିବିଶେଷ ସେମାନଙ୍କ ବାୟୋଡାଟା ସହିତ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ଓସିଏ ପକ୍ଷରୁ ନିବେଦନ କରାଯାଇଛି। ତେବେ ଓସିଏ ପକ୍ଷରୁ ବିଭିନ୍ନ ବର୍ଗର ଚୟନକର୍ତ୍ତାଙ୍କ ନିମନ୍ତେ ଏକ ମାପଦଣ୍ଡ ଧାର୍ଯ୍ୟ କରାଯାଇଛି। ସିନିୟର ପୁରୁଷ ଚୟନକମିଟିରେ ସଦସ୍ୟ ହେବା ପାଇଁ ଗୋଟିଏ ଅନ୍ତର୍ଜାତୀୟ ଟେଷ୍ଟ କିମ୍ବା ୨୫ଟି ରଣଜୀ ମ୍ୟାଚ୍‌ ଅଥବା ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ଖେଳିଥିବା ଆବଶ୍ୟକ ବୋଲି ଦର୍ଶାଯାଇଛି। ଜୁନିୟର ବାଳକ ଚୟନ କମିଟିର ସଦସ୍ୟ ହେବା ନିମନ୍ତେ ୨୫ଟି ରଣଜୀ ମ୍ୟାଚ ଖେଳିଥିବା ଆବଶ୍ୟକ। ମହିଳା ଚୟନ କମିଟିର ସଦସ୍ୟ ହେବା ନିମନ୍ତେ ରାଜ୍ୟ ପକ୍ଷରୁ ସିନିୟର ଦଳରେ ପ୍ରତିନିଧିତ୍ୱ କରିଥିବା ଆବଶ୍ୟକ ବୋଲି କୁହାଯାଇଛି । ଉପରୋକ୍ତ ୩ଟି ଯାକ କମିଟିର ସଦସ୍ୟ ହେବା ପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରହିଛି। ଇଚ୍ଛୁକ ବ୍ୟକ୍ତି ୫ବର୍ଷ ପୂର୍ବରୁ ଖେଳରୁ ଅବସର ନେଇଥିବା ଆବଶ୍ୟକ ବୋଲି ଓସିଏ ପକ୍ଷରୁ ଦିଆଯାଇଥିବା ବିବୃତିିରେ ସୂଚନା ଦିଆଯାଇଛି। ଅଧିକ ବିବରଣୀ ଜାଣିବା ପାଇଁ ପ୍ରାର୍ଥୀମାନେ ସିଇଓ ସୁବ୍ରତ କୁମାର ବେହେରାଙ୍କ ସହ ଯୋଗାଯୋଗ କରି ପାରିବେ। ଆବେଦନର ଶେଷ ତାରିଖ ଜୁନ ୫କୁ ଧାର୍ଯ୍ୟ କରାଯାଇଛି। ସୂଚନା ଥାଉ କି, ଗତ ସମ୍ବିଧାନ ଓ ଅନୁବନ୍ଧନ କମିଟି ବୈଠକରେ ଚୟନକର୍ତ୍ତା ନିଯୁକ୍ତି ନେଇ ଆଲୋଚନା ହୋଇଥିଲା।

Share