Categories: ଖେଳ

ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଖର୍ଚ୍ଚ ହେବ ୬ କୋଟି ୪୨ ଲକ୍ଷ

କଟକ ଅଫିସ,୨୫ା୧୧- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଓସିଏ ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ୪ଟି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଆଗାମୀ ଦିନରେ ହେବାକୁଥିବା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ଓସିଏ ପକ୍ଷରୁ ଏକ ବଜେଟ ଉପସ୍ଥାପନ କରାଯାଇଛି। ଏହି ମ୍ୟାଚ୍‌ରେ ୬ କୋଟି ୪୨ ଲକ୍ଷ ୬୯ ହଜାର ୫୭୦ ଟଙ୍କା ଖର୍ଚ୍ଚ ହେବ। ଅନ୍ୟପକ୍ଷରେ ୬ କୋଟି ୬୬ ଲକ୍ଷ ୩୭ ହଜାର ୨୭୦ ଟଙ୍କା ଆୟ ହେବ ବୋଲି ଦର୍ଶାଯାଇଛି। ବିଭିନ୍ନ ବାବଦରେ ହେବାକୁ ଥିବା ଖର୍ଚ୍ଚ ଓ ଆୟ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।
ମ୍ୟାଚ୍‌ରେ ହେବାକୁଥିବା ଖର୍ଚ୍ଚରୁ ଦେଢ଼କୋଟି ଖେଳାଳିମାନଙ୍କ ରହଣି ଓ ଯାତାୟାତ ବାବଦରେ ବ୍ୟୟ ହେବ ବୋଲି ଓସିଏ ଦର୍ଶାଇଛି। ଏହାଛଡ଼ା ଆଉ ଏକ ବଡ଼ ଖର୍ଚ୍ଚ ହେଉଛି ଫ୍ଲଡ୍‌ ଲାଇଟ୍‌ ମରାମତି। ଏଥିରେ ୧ କୋଟି ୫୦ ହଜାର ଟଙ୍କା ଖର୍ଚ୍ଚ ହେବ। ମୋଟ ୪୬ଟି ବ୍ୟବସ୍ଥା ବାବଦରେ ଓସିଏର ଖର୍ଚ୍ଚ ୬ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ବ ବୋଲି ବୈଠକରେ କୁହାଯାଇଥିଲା। ଆୟ ତାଲିକାରେ ଓସିଏ କେବଳ ଟିକେଟ ବିକ୍ରିରୁ ୨ କୋଟି ୮୫ ଲକ୍ଷ ୩୭ ହଜାର ୨୭୦ ଟଙ୍କା ପାଇବ। ବୈଠକରେ ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯ ବାର୍ଷିକ ଆୟବ୍ୟୟ ତାଲିକା ଗୃହୀତ କରାଯାଇଥିଲା। ଲୋଧା କମିଟି ଲାଗୁ ହେବାପରେ ଓସିଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ରୁ ଅନୁଦାନ ପାଇପାରୁ ନ ଥିଲା। ଅଚଳାବସ୍ଥା ଜାରି ରହିଥିବାରୁ ଅନେକ ଅର୍ଥ ବକେୟା ରହିଯାଇଥିଲା। ୩ ବର୍ଷର ଆୟବ୍ୟୟ ତାଲିକା ସର୍ବସମ୍ମତିକ୍ରମେ ବିସିସିଆଇ ନିକଟକୁ ପଠାଯାଇଛି। ଏହାଛଡ଼ା ମ୍ୟାଚ୍‌ ନିମନ୍ତେ ୨୨ କୋଟି ଟଙ୍କାର ଇନ୍‌ସ୍ୟୁରାନ୍ସ କରାଯାଇଥିବା ଜଣାପଡ଼ିଛି। ଫନୀ ସହାୟତା ଓ ପୂର୍ବ ବର୍ଷର ରହିଥିବା ବକେୟା ରାଶି ବିସିସିଆଇରୁ ଆସିସାରିଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ବୈଠକରେ କହିଥିଲେ। ଏହି ଅବସରରେ ଓସିଏର ଅନ୍ତରୀଣ ଅଡିଟର ନିଯୁକ୍ତି କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା।

Share