ଓଡିଆର୍‌ପି ଘରେ ନ ରହିଲେ ତାଲିକାରୁ ବାଦ୍‌

ଚିକିଟି,୧୯ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ ସମୁଦ୍ର ତଟବର୍ତ୍ତୀ ଚନ୍ଦନବାଡ ଓ ସୋରଳ ଗ୍ରାମରେ ପୃଥକ ପୃଥକ ଭାବେ ଗୁରୁବାର ମଧ୍ୟାହ୍ନରେ ଓଡିଆର୍‌ପି ଘର ପାଇଥିବା ବ୍ୟକ୍ତି ଓ ପ୍ରଶାସନ ପକ୍ଷରୁ ମିଳିତ ଆଲୋଚନା ସଭା ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ବାତ୍ୟା ନିରୋଧକ ଗୃହରେ ଘର ପାଇଥିବା ସମୁଦ୍ର ତଟବର୍ତ୍ତୀ ଲୋକଙ୍କୁ ରହିବା ପାଇଁ ପରାମର୍ଶ ଦେଇଥିଲେ। ୨ଦିନ ମଧ୍ୟରେ ହିତାଧିକାରୀ ନିଜ ଗୃହକୁ ପ୍ରବେଶ ନକଲେ ତାଙ୍କୁ ତାଲିକାରୁ ବାଦ୍‌ ଦିଆଯିବ ବୋଲି ସେ ତାଗିଦ କରିଥିଲେ। ସୂଚନାଯୋଗ୍ୟ, ଚିକିଟି ବ୍ଲକ୍‌ର ୬ଟି ପଞ୍ଚାୟତର ସମୁଦ୍ର ତଟବର୍ତ୍ତୀ ଗ୍ରାମ କତୁରୁ, ଅଲାଡିପୁର, ଏକ୍‌ସିଙ୍ଗି, ସୋରଳ, କଇଠା, ଗୋବିନ୍ଦପୁର, ଚନ୍ଦନବାଡ, ଦୟାନିଧିପେଣ୍ଠ, ସୁନୁପୁର, ଆରୁଆସୁନୁପୁର, ପାଟିସୁନୁପୁର ଆଦି ୧୦ ଗ୍ରାମର ୩୧୦୬ ପରିବାରକୁ ସ୍ଥାନାନ୍ତରିତ କରାଯାଇ ନିରାପଦ ସ୍ଥାନକୁ ଆଣିବା ପାଇଁ ସରକାର ୨୦୧୩ ଫାଇଲିନ୍‌ ବାତ୍ୟାପରେ ଏହି ଯୋଜନା କରିଛନ୍ତି। ଏହି ଯୋଜନାରେ ଚନ୍ଦନବାଡ ଗ୍ରାମରେ ୩୪୨ ଗୃହ ଓ ସୋରଳ ଗ୍ରାମରେ ୨୯୩ ବାତ୍ୟା ନିରୋଧକ ଗୃହ ନିର୍ମାଣ କରାଯାଇଛି। ସେହିଭଳି ୧୦ଗୋଟି ଗ୍ରାମରେ ୩୧୦୬ ଘର ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି। ଦୀର୍ଘଦିନ ହେଲା ଏହି ଗୃହ ଗୁଡିକ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ହିତାଧିକାରୀ ସ୍ଥାନାନ୍ତର ହେଉନାହାନ୍ତି। ସଭାରେ ଚିକିଟି ବିଡିଓ ଫାଲ୍‌ଗୁନୀ ମାଝି, ତହସିଲ୍‌ଦାର ହରପ୍ରସାଦ ଭୋଇ, ଓଡିଆରପି କନିଷ୍ଠ ଯନ୍ତ୍ରୀ ରାକେଶ କୁମାର ବେହେରା, ଗୋଷ୍ଠୀ ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, ଜି. ସଂଗ୍ରାମ ଚୌଧୁରୀ, କନିଷ୍ଠଯନ୍ତ୍ରୀ ସୁଦାମ ମିଶ୍ର, ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।