Categories: ଖେଳ

ଓଡ଼ିଶା ଏଫସିରୁ ବିଦାୟ ନେଲେ ଆଶିଷ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରଭିତ୍ତିକ ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ) କ୍ଲବ ଓଡ଼ିଶା ଏଫସିରୁ ବିଦାୟ ନେଇଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର(ସିଇଓ) ଆଶିଷ ଶାହ। କ୍ଲବ ସହିତ ତାଙ୍କର ୩ ବର୍ଷୀୟା ଚୁକ୍ତି ୨୦୧୯-୨୦ ସିଜନ ସହ ଶେଷ ହେବ ବୋଲି ଓଡ଼ିଶା ଏଫସି ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ”ଗତ ୩ ବର୍ଷ ହେଲା କଠିନ ପରିଶ୍ରମ କରି ଆସିଥିବାରୁ ଆଶିଷଙ୍କୁ ଧନ୍ୟବାଦ। ତାଙ୍କ ସହ କାର୍ଯ୍ୟ କରି ମୁଁ ଆନନ୍ଦିତ। କ୍ଲବର ଉତ୍‌ଥାନ ପତନ ସମୟରେ ସେ ସଚୋଟ୍ଟତା ଦେଖାଇଛନ୍ତି। ଅତୀତକୁ ଦେଖିଲେ ଆଶିଷଙ୍କ ସହ ଅନେକ ସ୍ମରଣୀୟ ସ୍ମୃତି ରହିଛି। କ୍ଲବର ସମସ୍ତ ସଦସ୍ୟ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛନ୍ତି“ ବୋଲି କ୍ଲବ ସଭାପତି ରୋହନ ଶର୍ମା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ”ଗତ ୩ ବର୍ଷ ଓଡ଼ିଶା ଏଫସି (ପୂର୍ବରୁ ଦିଲ୍ଲୀ ଡାଇନାମସ ଥିଲା) ସହିତ ମୋ ପେଶାଦାର ଜୀବନ ଚ୍ୟାଲେଞ୍ଜିଂ ଏବଂ ଉତ୍ସାହପୂର୍ଣ୍ଣ ଥିଲା। ଏଥିପାଇଁ ମୁଁ କ୍ଲବ ମାଲିକ, ଓଡ଼ିଶା ସରକାର, ସାଥି, ଖେଳାଳି, କୋଚ୍‌ ଏବଂ ବାହାରର ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କ ସହଯୋଗ ବିନା ଆମେ କେବେହେଲେ ଦିଲ୍ଲୀରୁ ଓଡ଼ିଶା ଦଳକୁ ପରିବର୍ତ୍ତନ ହୋଇପାରି ନ ଥାନ୍ତୁ। କ୍ଲବ ନିକଟରେ ଏବେ ଉତ୍ତମ ଭିତ୍ତିଭୂମି, ଭଲ ଦର୍ଶକ ଏବଂ ସ୍ପୋଟର୍‌ସ ସପୋର୍ଟ ଇକୋସିଷ୍ଟମ ରହିଛି। ତେଣୁ ଏହା ଦିନେ ଭାରତର ଶ୍ରେଷ୍ଠ ଫୁଟବଲ କ୍ଲବ ହୋଇପାରିବ“ ବୋଲି ଆଶିଷ ପ୍ରକାଶ କରିଛନ୍ତି।

Share