Categories: ଖେଳ

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ବିଶ୍ୱସ୍ତରୀୟ: ମାର୍ଟିନ

ଭୁବନେଶ୍ୱର,୮।୯(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କ୍ରୀଡ଼ା ବିଜ୍ଞାନ ନେଇ ଶନିବାର ଏକ ବକ୍ତୃତାମାଳା ଆୟୋଜନ କରାଯାଇଛି। ଏଥିରେ ଇଂଲଣ୍ଡର ବର୍ମିଂହାମ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ସ୍ପୋଟର୍‌ସ ଆଣ୍ଡ ଏକ୍ସରସାଇଜ୍‌ ସାଇନ୍ସର କୋଚିଂ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ମାର୍ଟିନ ଟମ୍ସ ଯୋଗ ଦେଇ ନିଜର ବହୁମୂଲ୍ୟ ବକ୍ତୃତା ରଖିଥିଲେ। ଭାରତକୁ ଏକ ପେସାଦାର ଗସ୍ତରେ ଆସିଥିବା ମାର୍ଟିନ ‘ସାମ୍ପିଲିଂ ଓ ସ୍ପେଶିଆଲାଇଜିଂ ଡିବେଟ୍‌’ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହା ଯୁବ କ୍ରୀଡ଼ାବିତ୍‌ଙ୍କ ଉପରେ ସାମାଜିକ, ମାନସିକ, ଶାରୀରିକ ଭାବେ ପ୍ରଭାବିତ କରୁଥିବାରୁ ସେ ଏ ସଂକ୍ରାନ୍ତରେ ବିଭିନ୍ନ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ବିଭାଗ ଓ ହାଇ ପରଫର୍ମାନ୍ସ ସେଣ୍ଟରର ବିଭିନ୍ନ କୋଚ୍‌, ଫିଜିଓଥେରାପିଷ୍ଟ, ଟ୍ରେନିଂ ଷ୍ଟାଫ୍‌ ଓ ୧୯ ବର୍ଷରୁ କମ୍‌ ଫୁଟବଲ ଦଳ ଯୋଗ ଦେଇ ମାର୍ଟିନଙ୍କ ବକ୍ତୃତା ଶୁଣିଥିଲେ। ଉତ୍ସାହୀ ତଥା ଆଗ୍ରହୀ ଶ୍ରୋତାଙ୍କ ଉପସ୍ଥିତିରେ ବେଶ୍‌ ଖୁସି ଅନୁଭବ କରୁଛି। ଓଡ଼ିଶା ବାସ୍ତବରେ ଭାରତର କ୍ରୀଡ଼ା ରାଜଧାନୀ। ଏଠାରେ କ୍ରୀଡ଼ା ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧାସୁଯୋଗ ବିଶ୍ୱସ୍ତରୀୟ। ଆଗାମୀ ଦିନରେ ଏଠାକୁ ପୁଣି ଆସିବି ବୋଲି ମାର୍ଟିନ ଏହି ଅବସରରେ କହିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ କମିଶନର ତଥା ସଚିବ ବିଶାଲ ଦେବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମତ ରଖିଥିଲେ। ମାର୍ଟିନଙ୍କ ବକ୍ତବ୍ୟ କ୍ରୀଡ଼ାବିତ୍‌ ଓ ପ୍ରଶିକ୍ଷକଙ୍କୁ ନୂଆ ଦିଗ୍‌ଦର୍ଶନ ଦେବ ବୋଲି ସେ କହିଥିଲେ। ସେହିପରି ଟାଟା ନାଭାଲ ଏକାଡେମୀ ବୈଷୟିକ ନିର୍ଦ୍ଦେଶକ ଜୋଏର୍ଡ ଉଏଲ୍ଡର୍ସ ମଧ୍ୟ ମାର୍ଟିନଙ୍କୁ ପ୍ରଶଂସା କରିଥିଲେ। ଜଣେ ବ୍ୟକ୍ତି ତଥା ଉଚ୍ଚକୋଟୀର କ୍ରୀଡ଼ାବିତ୍‌ ଭାବେ ନିଜକୁ ଗଢିତୋଳିବାରେ ଏହ ବକ୍ତୃତା ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।

Share