ଓଡ଼ଶର ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ୫ ଦିନ ହେଲା ତାଲା: ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଦଶପଲ୍ଲା,୧୫ା୯ (ଡି.ଏନ.ଏ.)- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସରିଗଣ୍ଡା ପଞ୍ଚାୟତର ଓଡ଼ଶର ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ୫ ଦିନ ହେଲା ତାଲା ପଡ଼ିଛି। କେନ୍ଦ୍ରରେ ଖାଦ୍ୟ ଦେବାରେ ଅନିୟମିୟତା ଏବଂ ପିଲାଙ୍କ ଦେଖାଶୁଣାରେ ଅବହେଳା ନେଇ ଗ୍ରାମର କେତେକ ଲୋକ ତାଲା ପକାଇଛନ୍ତି। ୫ଦିନ ହେଲା କୁନିକୁନି ପିଲାମାନେ ପାଠପଢାରୁ ବଞ୍ଚତ୍ତ ହେଉଥିବା ଜଣାଯାଇଛି।

ପ୍ରକାଶଥାଉକି, ଗତ ଶୁକ୍ରବାର ପିଲାମାନେ ଘରକୁ ଫେରିବାରେ ଡେରି ହେବାରୁ କେତେକ ଅଭିଭାବକ କେନ୍ଦ୍ର ନିକଟକୁ ଯାଇଥିଲେ, କେତେକ ପିଲା କନିଅର ଫଳ ତୋଳିବା ଏବଂ ସେଥିରେ ଖେଳିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। କର୍ମଚାରୀମାନେ ପିଲାଙ୍କ ଯତ୍ନ ନ ନେବା, ଖାଦ୍ୟ ଠିକ୍‌ରେ ନ ଦେବା ଅଭିଯୋଗ କରିଥିଲେ। ଶନିବାର କେନ୍ଦ୍ର ଖୋଲା ନ ଯିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା ବୋଲି ଅଭିଭାବକ ସୁରେଶ ପ୍ରଧାନ ମତବ୍ୟକ୍ତ କରିଥିଲେ। ମଙ୍ଗଳବାର କିଛି ଲୋକ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଦୀର୍ଘ ୫ ଦିନ ହେଲା କେନ୍ଦ୍ର ବନ୍ଦ ହୋଇଥିଲେ ମଧ୍ୟ ଏହାର ପ୍ରତିକାର ହୋଇପାରିନାହିଁ। ଏ ସମ୍ପର୍କରେ ଅଙ୍ଗନଓ୍ବାଡି କର୍ମୀ ସୁପ୍ରଭା ମିଶ୍ରଙ୍କୁ ପଚାରିବାରୁ ଗତ ଶନିବାର ଅଫିସରେ ମିଟିଂ ଥିବାରୁ ଯାଇଥିଲେ। ସହାୟିକାଙ୍କୁ ସେଣ୍ଟର ଖୋଲିବା ପାଇଁ କହିଥିଲେ। ସେହିପରି ସୁପରଭାଇଜର ପଦ୍ମାଳୟା ଶତପଥୀଙ୍କୁ ଯୋଗାଯୋଗ କରିବାରୁ ଅଙ୍ଗନଓ୍ବାଡି କର୍ମୀ ମିଟିଂ ଥିବା ଯୋଗୁ ଅଫିସ ଆସିଥିଲେ ଏବଂ ବର୍ଷା ଯୋଗୁ ପିଲା ନ ଆସିବାରୁ କେନ୍ଦ୍ର ଖୋଲି ନଥିବା ପାଚିକା କହିଥିଲେ ବୋଲି ସେ ପ୍ରକାଶ କରିଥିଲେ।

ଏ ସମ୍ପର୍କରେ ସିଡିପିଓଙ୍କୁ ଯୋଗାଯୋଗ କରିବାରେ ସୁପରଭାଇଜରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ। ଅନ୍ୟପକ୍ଷେ, ଗୁରୁବାର ରାତିରେ ଗ୍ରାମରେ ଏକ ବୈଠକ ବସି ତାଲା ପଡ଼ିବା ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ସୁପରଭାଇଜର ଏବଂ ବହୁ ଜନସାଧାରଣ ଯୋଗଦେଇଥିଲେ ମଧ୍ୟ ଆଲୋଚନା ଫଳପ୍ରଦ ହୋଇନଥିଲା। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ପ୍ରତିକାର କରିବାକୁ ଦାବି ହେଉଛି।