Categories: ଖେଳ

ଏସିଆ ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌: ପୁରୁଷ ଦଳ ସେମିଫାଇନାଲରେ

ମାନିଲା (ଫିଲିପାଇନ୍ସ), ୧୫ା୨ (ପି.ଟି.)-ଏସିଆ ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ପୁରୁଷ ଦଳ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛି। ଶୁକ୍ରବାର ଏକ ରୋମାଞ୍ଚକ କ୍ୱାର୍ଟରଫାଇନାଲରେ ଦଳ ୩-୨ରେ ଥାଇଲାଣ୍ଡକୁ ପରାସ୍ତ କରିଛି। ପ୍ରଥମ ଦୁଇଟି ସିଙ୍ଗଲ୍ସରେ କିଡାମ୍ବି ଶ୍ରୀକାନ୍ତ ଏବଂ ବି. ସାଇ ପ୍ରଣୀଥ୍‌ ସେମାନଙ୍କ ମ୍ୟାଚ ହାରିଯାଇଥିଲେ। କିନ୍ତୁ ପରବର୍ତ୍ତୀ ତିନୋଟି ମ୍ୟାଚ ଅର୍ଥାତ ଗୋଟିଏ ସିଙ୍ଗଲ୍ସ ଏବଂ ଦୁଇଟି ଡବଲ୍ସ ମ୍ୟାଚରେ ବିଜୟ ଲାଭ କରିଥିଲା। ସେମିଫାଇନାଲରେ ଭାରତ ଦୁଇଥର ଚାମ୍ପିୟନ ଇଣ୍ଡୋନେସିଆକୁ ଭେଟିବ। ଭାରତୀୟ ପୁରୁଷ ଦଳ ପୂର୍ବରୁ ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରତିଯୋଗିତାର ୨୦୧୬ ସଂସ୍କରଣ ସେମିଫାଇନାଲରେ ଇଣ୍ଡୋନେସିଆଠାରୁ ୧-୩ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ପାଇଥିଲା।
ଶୁକ୍ରବାର ଥାଇଲାଣ୍ଡ ବିପକ୍ଷ କ୍ୱାର୍ଟରଫାଇନାଲରେ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀଥ୍‌ ଲଢୁଆ ପ୍ରଦର୍ଶନ କରି ବିଶ୍ୱର ୧୨ ନମ୍ବର ଖେଳାଳି କାଣ୍ଟାଫୋନ୍‌ ଓ୍ବାଙ୍ଗ୍‌ଚାରୋନଙ୍କଠାରୁ ୧୪-୨୧, ୨୧-୧୪, ୧୨-୨୧ରେ ହାରିଯାଇଥିଲେ। ଦ୍ୱିତୀୟ ସିଙ୍ଗଲ୍ସରେ ବିଶ୍ୱର ନମ୍ବର ଓ୍ବାନ ଶ୍ରୀକାନ୍ତ ୩ଥର ଜୁନିୟର ବିଶ୍ୱ ଚାମ୍ପିୟନ କୁନ୍‌ଲାଭଟ୍‌ ଭିଟିଡ୍‌ସରନଙ୍କ ବିପକ୍ଷ ତାଙ୍କ ମ୍ୟାଚ ୨୦-୨୨, ୧୪-୨୧ରେ ପରାଜିତ ହୋଇଥିଲେ। ଫଳରେ ଭାରତ ୦-୨ରେ ପଛୁଆ ହୋଇଥିଲା। କିନ୍ତୁ ପ୍ରଥମ ଡବଲ୍ସରେ ଏମ୍‌.ଆର୍‌. ଅର୍ଜୁନ ଏବଂ ଧ୍ରୁବ କାପିଲା ପ୍ରତିପକ୍ଷ କିଟିନପଙ୍ଗ କେଡ୍ରେନ୍‌ ଏବଂ ଟାନୁପାଟ୍‌ ଭିରିୟାଙ୍ଗକୁରାଙ୍କୁ ୨୧-୧୮, ୨୨-୨୦ରେ ପରାସ୍ତ କରିଥିଲେ। ପରେ ଯୁବ ଖେଳାଳି ଲକ୍ଷ୍ୟ ସେନ୍‌ ବିଶ୍ୱର ୪୫ ନମ୍ବର ମାନ୍ୟତାପ୍ରାପ୍ତ ସୁପାନ୍ୟୁ ଆଭିଙ୍ଗସାନନଙ୍କ ବିପକ୍ଷ ମ୍ୟାଚ ୨୧-୧୯, ୨୧-୧୮ରେ ବିଜୟ ଲାଭ କରିବା ଦ୍ୱାରା ଭାରତ ମୁକାବିଲାକୁ ୨-୨ ସ୍ତରକୁ ଆଣିପାରିଥିଲା। ଦ୍ୱିତୀୟ ଡବଲ୍ସରେ ଚିରାଗ ଶେଟ୍ଟି ଓ ଶ୍ରୀକାନ୍ତ ଯୋଡ଼ି ୨୧-୧୫, ୧୬-୨୧, ୨୧-୧୫ରେ ମାନିପଙ୍ଗ ଜଙ୍ଗ୍‌ଜିତ୍‌ ଏବଂ ନିପିଥୋନ୍‌ ପୁଆଙ୍ଗ୍‌ଫୁଆପେଟ୍‌ରେ ହରାଇ ଭାରତକୁ ବିଜୟୀ କରାଇଥିଲେ।

Share