Categories: ଖେଳ

ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ସେମିଫାଇନାଲରେ ହାରିଲା ଭାରତ

ମାନିଲା (ଫିଲିପାଇନ୍ସ), ୧୬ା୨ (ପି.ଟି.)- ଭାରତୀୟ ପୁରୁଷ ଦଳ ଏଠାରେ ଚାଲିଥିବା ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସେମିଫାଇନାଲରୁ ବିଦାୟ ନେଇଛି। ଦଳ ୨-୩ରେ ଦୁଇଥର ଚାମ୍ପିୟନ ଇଣ୍ଡୋନେସିଆଠାରୁ ପରାସ୍ତ ହୋଇଛି। ତେବେ ଏସିଆନ ଗେମ୍ସ ଚାମ୍ପିୟନ ଜୋନାଟାନ କ୍ରିଷ୍ଟିଙ୍କ ବିପକ୍ଷରେ ଲକ୍ଷ୍ୟ ସେନ୍‌ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଙ୍ଗଲ୍ସରେ ବିଶ୍ୱର ୩୧ନମ୍ବର ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ବିଶ୍ୱର ୭ ନମ୍ବର ଖେଳାଳି ଜୋନାଟାନଙ୍କୁ ୨୧-୧୮, ୨୨-୨୦ରେ ହରାଇ ଦେଇଥିଲେ। ଆନ୍ଥୋନୀ ଜିନ୍‌ଟିଙ୍ଗ୍‌ଙ୍କ ବିପକ୍ଷ ପ୍ରଥମ ସିଙ୍ଗଲ୍ସର ଓପନିଂ ଗେମ୍‌ରେ ୬-୨୧ରେ ପଛୁଆ ଥିବା ଅବସ୍ଥାରେ ବି. ସାଇ ପ୍ରଣୀଥ ମ୍ୟାଚରୁ ଓହରି ଯାଇଥିଲେ। ଡବଲ୍ସ ଯୋଡ଼ି ଏମ୍‌. ଆର୍‌. ଅର୍ଜୁନ ଏବଂ ଧ୍ରୁବ କାପିଲା ଲଢୁଆ ପ୍ରଦର୍ଶନ କରି ତିନିଥର ବିଶ୍ୱ ଚାମ୍ପିୟନ ତଥା ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ମହମ୍ମଦ ଅହସାନ ଏବଂ ହେଣ୍ଡ୍ରା ସେଟିଓ୍ବାନ ଯୋଡ଼ିଙ୍କଠାରୁ ୧୦-୨୧, ୨୧-୧୪, ୨୧-୨୩ରେ ପରାଜିତ ହୋଇଥିଲେ। ଏହାଦ୍ୱାରା ଇଣ୍ଡୋନେସିଆ ୨-୧ରେ ଅଗ୍ରଣୀ ଲାଭ କରିନେଇଥିଲା। ପରେ ତୃତୀୟ ସିଙ୍ଗଲ୍ସରେ ୨୦୧୮ ସାର୍‌ଲର୍‌ଲକ୍ସ ଓପନ ଚାମ୍ପିୟନ ଶୁଭଙ୍କର ଦେ ବିଶ୍ୱର ୨୦ ନମ୍ବର ଖେଳାଳି ଶେସାର ହିରେନ୍‌ ରୁସ୍ତାଭିଟୋଙ୍କ ବିପକ୍ଷରେ ୨୧-୧୭, ୨୧-୧୫ରେ ଚମକପ୍ରଦ ବିଜୟ ହାସଲ କରିବା ଦ୍ୱାରା ଭାରତ ପୁଣି ମୁକାବିଲାକୁ ୨-୨ ସ୍ତରକୁ ନେଇ ଆସିଥିଲା। ମାତ୍ର ନିର୍ଣ୍ଣାୟକ ଡବଲ୍ସରେ ଚିରାଗ ଶେଟ୍ଟି ଏବଂ ଲକ୍ଷ୍ୟ ବିଶ୍ୱର ନମ୍ବର ଓ୍ବାନ ଯୋଡ଼ି ମାର୍କସ ଫର୍ନାଲ୍‌ଡି ଜିଡିଅନ ଏବଂ କେଭିନ୍‌ ସଞ୍ଜୟ ସୁକାମୁଲ୍‌ଜୋ ଯୋଡ଼ିଙ୍କ ଉଚିତ ମୁକାବିଲା କରି ନ ପାରି ମାତ୍ର ୨୪ ମିନିଟ୍‌ରେ ୨୧-୬, ୨୧-୧୩ରେ ହାରିଯାଇଥିଲେ। ସେମିଫାଇନାଲରେ ହାରି ଭାରତ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ ହାସଲ କରିପାରିଛି। ପୂର୍ବରୁ ୨୦୧୬ ହାଇଦ୍ରାବାଦ ସଂସ୍କରଣରେ ପ୍ରଥମ ଥର ବ୍ରୋଞ୍ଜ ଜିତିଥିଲା।

Share