Categories: ଖେଳ

ଏସିଆ କପ୍‌ ବାତିଲ ସପକ୍ଷରେ ନାହିଁ ପାକିସ୍ତାନ

କରାଚୀ, ୧୬ା୪ (ପି.ଟି.)- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏସିଆ କପ୍‌ ବାତିଲ ସପକ୍ଷରେ ନାହିଁ ବୋଲି କହିଛନ୍ତି ଏହାର ଚେୟାରମ୍ୟାନ ଏହେସାନ ମନି। ଆସନ୍ତା ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆ କପ୍‌ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି। ତେବେ କୋଭିଡ୍‌-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ଏସିଆ କପ୍‌କୁ ବାତିଲ କରି ଯଦି ଏହି ସମୟରେ ଆଇପିଏଲ୍‌ ଆୟୋଜନକୁ ସୁଯୋଗ ଦିଆଯାଏ ତେବେ ପ୍ରତିବାଦ କରାଯିବ ବୋଲି ମନି କହିଛନ୍ତି। ଆଇପିଏଲ୍‌ ପ୍ରକୃତରେ ମାର୍ଚ୍ଚ ୧୯ରୁ ମେ’ ୨୪ ପର୍ଯ୍ୟନ୍ତ ହୋଇଥାନ୍ତା। ମାତ୍ର କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଯୋଗୁ ଭାରତରେ ଲକ୍‌ଡାଉନ୍‌ ମିଆଦ ବୃଦ୍ଧି କରାଯାଇଥିବାରୁ ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଛି। ମନି କହିଛନ୍ତି, ଏସିଆ କପ୍‌ କେବଳ ଭାରତ ଓ ପାକିସ୍ତାନକୁ ନେଇ ଆୟୋଜିତ ହେଉନାହିଁ। ଏଥିରେ ଅନ୍ୟ କେତୋଟି ଦେଶ ମଧ୍ୟ ଭାଗ ନେଉଛନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତଙ୍କ ମତାମତ ନେଇ ଟୁର୍ନାମେଣ୍ଟର ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ଉଚିତ। ସୂଚନାଯୋଗ୍ୟ, ଏଥର ଏସିଆ କପ୍‌ ଆୟୋଜକ ପାକିସ୍ତାନ ହୋଇଛି। ମାତ୍ର ନିରାପତ୍ତା ଦୃଷ୍ଟିକୋଣରୁ ଭାରତ ପାକିସ୍ତାନରେ ଖେଳିବାକୁ ରାଜି ନ ହେବାରୁ ଟୁର୍ନାମେଣ୍ଟକୁ ଦୁବାଇ ଓ ଆବୁଧାବିକୁ ସ୍ଥାନାନ୍ତର କରାଯାଇଥିଲା। ଏସିଆକପ୍‌ ଆୟୋଜନରୁ ଉପାର୍ଜିତ ଅର୍ଥ ଏସିଆରେ କ୍ରିକେଟ ଖେଳର ବିକାଶ କ୍ଷେତ୍ରରେ ବ୍ୟୟ ହୋଇଥାଏ ବୋଲି ପିସିବି ଚେୟାରମ୍ୟାନ ଯୁକ୍ତି ଦର୍ଶାଇଛନ୍ତି।

Share