Categories: ଖେଳ

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୨୦୦ ମିଟର ରେସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ହିଟ୍‌ରେ ଦୂତୀ ୨୩.୩୩ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଛନ୍ତି। ହିଟ୍‌-୩ରେ ଦୌଡ଼ିଥିଲେ ଦୂତୀ। ଏଥିରେ ସେ ଅନ୍ୟ ୭ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଚାଇନାର କୋଙ୍ଗ ଲିଙ୍ଗଓ୍ବେଇ ୨୩.୫୧ ସେକେଣ୍ଡ ସମୟ ନେଇ  ଦ୍ୱିତୀୟ ସ୍ଥାନରେ ରହିବା ସହ ଏହି ହିଟ୍‌ରୁ ଫାଇନାଲ ଯୋଗ୍ୟତା ପାଇଛନ୍ତି।  ହିଟ୍‌-୧ରୁ ଚାଇନାର ଜି ମାନ୍‌ଗି ୨୩.୪୬ ଓ ବାହାରିନର ଇଡିଡଙ୍ଗ ଓଡିଅଙ୍ଗ ୨୩.୫୩ ସେକେଣ୍ଡ ସମୟ ନେଇ ଏବଂ ହିଟ-୨ରୁ ବାହାରିନର ସାଲ୍‌ଓ୍ବା ନାସେର ୨୨.୮୪ ଓ କାଜାଖସ୍ତାନର ଓଲ୍‌ଗା ସାଫ୍ରାନୋଭା ୨୨.୯୮ ସେକେଣ୍ଡ ସମୟ ନେଇ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ପ୍ରତିଯୋଗିତାର ୧୦୦ ମିଟର ରେସ୍‌ରେ ଦୂତୀ ହିଟ୍‌ରେ ୧୧.୨୮ ଓ ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ନେଇ ଦୁଇଥର ଜାତୀୟ ରେକର୍ଡ ଭାଙ୍ଗିଥିଲେ ହେଁ ଫାଇନାଲରେ ନୈରାଶ୍ୟଜନକଭାବେ ୧୧.୪୪ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ।

Share