Categories: ଖେଳ

ଏଫ୍‌ଆଇଏଚ ହକି ପ୍ରୋ ଲିଗ୍‌: ବେଲ୍‌ଜିୟମ ପହଞ୍ଚିଲା, ୮ରୁ ମ୍ୟାଚ

ଭୁବନେଶ୍ୱର, ୬।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ ଖେଳିବା ପାଇଁ ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ ଦଳ ବେଲଜିୟମ ବୁଧବାର ଭୁବନେଶ୍ୱରରେ ପହଞ୍ଚତ୍ଛି। ଚଳିତ ମାସ ୮ ଓ ୯ ତାରିଖରେ ଭାରତ ଓ ବେଲଜିୟମ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ। ଚଳିତ ଲିଗ୍‌ରେ ଭାରତ ଏହାର ପ୍ରଥମ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସକୁ ହରାଇଥିବାବେଳେ ବେଲଜିୟମ ୪ଟି ମ୍ୟାଚରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମ ସହିତ ବେଲ୍‌ଜିୟମର ସ୍ମୃତି ମଧୁର ଅନୁଭୂତି ରହିଛି। କାରଣ ଏଠାରେ ୨୦୧୮ରେ ଦଳ ବିଶ୍ୱ ଚାମ୍ପିୟନ ମୁକୁଟ ପିନ୍ଧିଥିଲା। ଅନ୍ୟପକ୍ଷରେ କଳିଙ୍ଗରେ ବେଲଜିୟମ ବିପକ୍ଷରେ ଭାରତର ଟ୍ରାକ୍‌ ରେକର୍ଡ ଭଲ ରହିଛି। କାରଣ ବିଶ୍ୱକପର ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ବିପକ୍ଷରେ ଭାରତ ୨-୨ ଗୋଲରେ ମ୍ୟାଚ ଡ୍ର ରଖିଥିଲା। ସେହିପରି ୨୦୧୭ରେ ଅନୁଷ୍ଠିତ ପୁରୁଷ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲର କ୍ୱାର୍ଟର ଫାଇନାଲରେ ନିର୍ଦ୍ଧାରିତ ସମୟରେ ମ୍ୟାଚ ୩-୩ ସ୍ଥିତିରେ ରହିବାପରେ ଶୁଟ୍‌ ଆଉଟରେ ଭାରତ ୩-୨ ଗୋଲରେ ବିଜୟୀ ହୋଇଥିଲା।
”ଅଲିମ୍ପିକ୍ସ ପୂର୍ବରୁ ଭାରତ ବିପକ୍ଷ ହାଇଭୋଲଟେଜ ୨ ମ୍ୟାଚ ଖେଳିବା ପାଇଁ କଳିଙ୍ଗ ଷ୍ଟାଡିୟମ ଫେରିଥିବାରୁ ଆମେ ବହୁତ ଖୁସି। ପ୍ରୋ ଲିଗ୍‌ରେ ଭାଗ ନେଉଥିବା ସବୁ ଦଳ ପାଇଁ ମ୍ୟାଚ ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଏକ ଶକ୍ତିଶାଳୀ ଦଳ। ମାତ୍ର ଆମେ ଗତ ୪ଟି ଯାକ ମ୍ୟାଚ ଜିତିଥିବାରୁ ଦୃଢ଼ ମନୋବଳ ନେଇ ଏଠାକୁ ଆସିଛୁ। ଭାରତ ବିପକ୍ଷ ୨ଟି ଯାକ ମ୍ୟାଚ ଜିତିବା ଆମର ଲକ୍ଷ୍ୟ ରହିବ“ ବୋଲି ବେଲଜିୟମ ଅଧିନାୟକ ବ୍ରେଲ୍ସ ଥୋମାସ ପ୍ରକାଶ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ସହିତ ଆମର ଭଲ ସ୍ମୃତି ଯୋଡ଼ି ହୋଇ ରହିଛି। ପ୍ରୋ ଲିଗ୍‌ରେ ଭାରତ ମଧ୍ୟ ଭଲ ଖେଳୁଛି। ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ତେଣୁ ଆଗାମୀ ୨ଟି ଯାକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି ବୋଲି ୩୪୧ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଏହି ଅଧିନାୟକ ପ୍ରକାଶ କରିଛନ୍ତି। ଏହି ଟୁର୍‌ ପାଇଁ ଆମେ ଗତ ୬ ମାସଧରି କଠିନ ପରିଶ୍ରମ କରି ଆସୁଛୁ। ଟୋକିଓ ଅଲିମ୍ପିକ୍ସରେ ପୋଡିୟମ ଫିନିଶ୍‌ ବେଲଜିୟମର ଲକ୍ଷ୍ୟ। ତେଣୁ ଏଠାରେ ଏକ ଭିନ୍ନ ବେଲଜିୟମ ଦଳକୁ ଦେଖିବାକୁ ମିଳିବ। କଳିଙ୍ଗ ଷ୍ଟାଡିୟମ ଆମର ଘରୋଇ ଗ୍ରାଉଣ୍ଡ ନୁହେଁ, ମାତ୍ର ଆମେ ଏଠାରେ ଆମର ରେକର୍ଡ ବହୁତ ଭଲ। କଳିଙ୍ଗରେ ଖେଳିଥିବା ୧୦ଟି ମ୍ୟାଚରୁ ଆମେ ୮ଟିରେ ବିଜୟୀ ହୋଇଛୁ। ବିଶ୍ୱର ନମ୍ବରଓ୍ବାନ ଦଳର କୋଚ୍‌ଥିବାରୁ ମୁଁ ଗର୍ବିତ ବୋଲି କୋଚ୍‌ ଶେନ ମ୍ୟାକଲିଓଡ ପ୍ରକାଶ କରିଛନ୍ତି।

Share