Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଶୁଟ୍‌ ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ନିର୍ଦ୍ଧାରିତ ସମୟ ଖେଳ ୩-୩ରେ ସମାନ ରହିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଗଲା। ଏହି ପର୍ଯ୍ୟାୟରେ ଚାପର ବଶବର୍ତ୍ତୀ ନ ହୋଇ ଭାରତ ୩-୧ ଗୋଲରେ ବିଜୟୀ ହେଲା। ଭାଗ୍ୟ ସହାୟ ନ ହେବାରୁ ନେଦରଲାଣ୍ଡ୍ସ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କଲା। ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏପରି ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଶୁଟ୍‌ ଆଉଟରେ ଫଳାଫଳ ନିର୍ଣ୍ଣିତ ହୋଇଥିବାରୁ ନିୟମ ଅନୁସାରେ ଭାରତ ୨ ଓ ନେଦରଲାଣ୍ଡ୍ସ ୧ ପଏଣ୍ଟ ହାସଲ କରିଛି। ଶନିବାର ଏହି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ବିଜୟୀ ହୋଇ ୩ ପଏଣ୍ଟ ପାଇଥିଲା। ତେଣୁ ପ୍ରୋ ଲିଗ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଶେଷରେ ଭାରତ ୫ ଓ ନେଦରଲାଣ୍ଡ୍ସ ୧ ପଏଣ୍ଟ ପାଇଛି।

କଡ଼ା ଟକ୍କର
ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଥିଲା। ତ୍ରୁଟିରୁ ଶିକ୍ଷାଲାଭ କରିଥିବା ନେଦରଲାଣ୍ଡ୍ସ ଦ୍ୱିତୀୟ ମ୍ୟାଚ୍‌ରେ କଡ଼ା ଟକ୍କର ଦେଇଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଅନେକ ସୁଯୋଗ ସୃଷ୍ଟି କରିଥିଲେ ହେଁ କୌଣସି ଦଳ ଗୋଲ ଦେଇପାରି ନ ଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଚମତ୍କାର ଖେଳିଥିଲା ନେଦରଲାଣ୍ଡ୍ସ। ୨୩ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଭାନ୍‌ ଡର ଓ୍ବିର୍ଡେନ ମିଙ୍କ୍‌ ମ୍ୟାଚ୍‌ରେ ଗୋଲ ସ୍କୋରିଂ ଖାତା ଖୋଲିଥିଲେ। ଏହାର ୨ ମିନିଟ୍‌ ପରେ ଲଳିତ ଉପାଧ୍ୟାୟ ଗୋଲ୍‌ଟି ପରିଶୋଧ କରିବାରୁ ମ୍ୟାଚ୍‌ ରୋମାଞ୍ଚକ ହୋଇଥିଲା। ତେବେ ୨୬ତମ ମିନିଟରେ ଜେରୋନ ହର୍ଜବର୍ଜର ଓ ୨୭ତମ ମିନିଟରେ ଜର୍ନ କିଲରମ୍ୟାନ ଗୋଟିଏ ଲେଖାଏ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ନେଦରଲାଣ୍ଡ୍ସ ୩-୧ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ତୃତୀୟ କ୍ୱାର୍ଟରରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତ ଜୋର୍‌ଦାର ଉଦ୍ୟମ କରିଥିଲା। ତେବେ ୪୧ତମ ମିନିଟ୍‌ରେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ ବିପଜ୍ଜନକ ଖେଳ ପାଇଁ ହଳଦିଆ କାର୍ଡ ପାଇବାରୁ ତୃତୀୟ କ୍ୱାର୍ଟରର ଶେଷ ୧୦ ମିନିଟ୍‌ ଭାରତ ୧୦ ଜଣିଆରେ ଖେଳିଥିଲା। ତେବେ ନେଦରଲାଣ୍ଡ୍ସ ଏଥିରୁ ଫାଇଦା ନେଇପାରି ନ ଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଅସଲ ଖେଳ ହୋଇଥିଲା। ଘରୋଇ ପରିବେଶ ଓ ଦର୍ଶକଙ୍କ ସମର୍ଥନରେ ଉତ୍ସାହିତ ହୋଇ ଭାରତୀୟ ଖେଳାଳିମାନେ ଜୋସ୍‌ ଦେଖାଇଥିଲେ। ୫୧ତମ ମିନିଟ୍‌ରେ ଭାରତ ଏକ ପେନାଲ୍ଟି କର୍ନର ହାସଲ କରିଥିଲା। ଏସ୍‌.ଭି. ସୁନୀଲଙ୍କ ପୁସ୍‌ରେ ରୂପିନ୍ଦରପାଲ ସିଂଙ୍କ ଶଟ୍‌ ନେଦରଲାଣ୍ଡ୍ସ ଗୋଲକିପରଙ୍କ ପ୍ୟାଡ୍‌ରେ ବାଜି ଫେରି ଆସୁଥିବାବେଳେ ବନଦୀପ ସିଂଙ୍କ ରିବାଉଣ୍ଡ ଶଟ୍‌ ଗୋଲରେ ପରିଣତ ହୋଇଥିଲା। ୫୫ତମ ମିନିଟରେ ଦଳକୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ଏଥର କିନ୍ତୁ ରୂପିନ୍ଦରପାଲ ଭୁଲ କରି ନ ଥିଲେ। ଡ୍ରାଗ୍‌ ଫ୍ଲିକ୍‌ ଶଟ୍‌ ଜରିଆରେ ସେ ଗୋଲ ଦେବାରୁ ମ୍ୟାଚ୍‌ ସମାନ ସ୍ତରକୁ ଚାଲିଆସିଥିଲା। ଶେଷ ୫ ମିନିଟ୍‌ର ଲଢ଼େଇ ଉତ୍ତେଜନାପୂର୍ଣ୍ଣ ରହିଥିଲା। ୫୯ତମ ମିନିଟ୍‌ରେ ନେଦରଲାଣ୍ଡ୍ସ ପାଇଁ ମ୍ୟାଚ୍‌ ଜିତିବାକୁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ମାତ୍ର ଭାରତୀୟ ଦ୍ୱିତୀୟ ପସନ୍ଦ ଗୋଲକିପର କ୍ରିଷ୍ଣନ ପାଠକ ଚମତ୍କାର ସେଭ୍‌ କରି ମ୍ୟାଚ୍‌କୁ ଶୁଟ୍‌ ଆଉଟକୁ ପଠାଇ ଦେଇଥିଲେ।

ଶୁଟ୍‌ ଆଉଟର ରୋମାଞ୍ଚ
ଶୁଟ୍‌ ଆଉଟ ପର୍ଯ୍ୟାୟରେ ପ୍ରଥମେ ଆସିଥିଲେ ଭାରତର ହରମନପ୍ରୀତ ସିଂ। ମାତ୍ର ସେ ନେଦରଲାଣ୍ଡ୍ସ ଗୋଲକିପର ଭାନ ଡର ଭେନ୍‌ ସାମ୍‌ଙ୍କୁ ଅତିକ୍ରମ କରିବାକୁ ସକ୍ଷମ ହୋଇ ନ ଥିଲେ। ନେଦରଲାଣ୍ଡ୍ସର ଜେରୋନ ହର୍ଜବର୍ଜର ମଧ୍ୟ ଭାରତୀୟ ଗୋଲକିପର ପି.ଆର. ଶ୍ରୀଜେଶଙ୍କୁ ଚକ୍‌ମା ଦେବାରେ ବିଫଳ ହୋଇଥିଲେ। ଦ୍ୱିତୀୟରେ ଆସିଥିବା ବିବେକ ସାଗର ପ୍ରସାଦ କିନ୍ତୁ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ନେଦରଲାଣ୍ଡ୍ସର ଗ୍ଲେନ ସ୍କୃରମ୍ୟାନ ବିଫଳ ହେବାରୁ ଭାରତର ଅଗ୍ରଣୀ ବଳବତ୍ତର ରହିଥିଲା। ଭାରତର ରୂପିନ୍ଦରପାଲ ବିଫଳ ହେବାରୁ ନେଦରଲାଣ୍ଡ ଆଶା ଉଜ୍ଜୀବିତ ରହିଥିଲା। ମାତ୍ର ଦଳକୁ ଭାଗ୍ୟଦେବୀ ସହାୟ ହୋଇ ନ ଥିଲେ। ଥିଏରୀ ବ୍ରିଙ୍କମ୍ୟାନ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲେ। ଭାରତର ୪ର୍ଥ ଷ୍ଟ୍ରାଇକର ଗୁରଜାନ୍ତ ସିଂ ଗୋଲ ଦେବାରୁ ଘରୋଇ ଦଳର ପଲା ଭାରି ହୋଇଯାଇଥିଲା। ନେଦରଲାଣ୍ଡ୍ସର ମିର୍କୋ ପ୍ରୁଜ୍‌ସେର ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ତେବେ ଆକାଶଦୀପ ସିଂ ଗୋଲ ଦେବା ପରେ ଭାରତୀୟ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଭାରତ ୩-୧ରେ ଅଗ୍ରଣୀ ହୋଇଥିବାରୁ ଆଉ ନେଦରଲାଣ୍ଡ୍ସ ଖେଳାଳି ଶୁଟ୍‌ ଆଉଟ ମାରିବା ଆବଶ୍ୟକ ହୋଇ ନ ଥିଲା। ମ୍ୟାଚ୍‌ ଓ ଶୁଟ୍‌ ଆଉଟରେ ଗୋଲ ଦେଇଥିବା ରୂପିନ୍ଦରପାଲ ସିଂ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri