Categories: ଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ-ଜାପାନ ସେମିଫାଇନାଲ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ସେମିଫାଇନାଲରେ ଏସୀୟ ଚାମ୍ପିୟନ ଜାପାନକୁ ଭେଟିବ। ବୁଧବାର ଅନୁଷ୍ଠିତ ପ୍ରଥମ କ୍ରସ୍‌ ଓଭର ମ୍ୟାଚ୍‌ ପରେ ଏହା ସ୍ପଷ୍ଟ ହୋଇଛି। ଏହି ମ୍ୟାଚରେ ଜାପାନ ୬-୨ ଗୋଲରେ ପୋଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଆଗାମୀ ୧୪ରେ ସେମିଫାଇନାଲ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପୋଲାଣ୍ଡ ସେହିଦିନ ୫ମ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ। ପୂର୍ବରୁ ଭାରତ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ୩ଟି ଯାକ ମ୍ୟାଚ ଜିତି ୯ ପଏଣ୍ଟ ସହ ପୁଲ୍‌‘ଏ’ରୁ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିଲା।
ଜାପାନ ବିପକ୍ଷରେ ପୋଲାଣ୍ଡ ଭଲ ଆରମ୍ଭ କରିଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଦଳ ୭ମ ମିନିଟରେ ଏକ ଗୋଲ ଦେଇ ପ୍ରତିପକ୍ଷ ଜାପାନ ଉପରେ ଚାପ ପ୍ରୟୋଗ କରିଥିଲା। ମିକୋଲାଜ୍‌ ଗୁମ୍‌ନି ଏହି ଫିଲ୍ଡ ଗୋଲଟି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଅଗ୍ରଣୀ ରହିବାପରେ ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ମଧ୍ୟ ପୋଲାଣ୍ଡର ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ମାତ୍ର ଗୋଲ ପରିଶୋଧ ଚକ୍କରରେ ଥିବା ଜାପାନ ସୁଯୋଗ ଅପେକ୍ଷାରେ ଥିଲା। ୨୦ତମ ମିନିଟରେ ମିିଳିଥିବା ପେନାଲ୍ଟି କର୍ନରକୁ ଜାପାନର ଶୋତା ୟାମାଦା ଗୋଲରେ ପରିଣତ କରିବାରୁ ମ୍ୟାଚ ୧-୧ ସମାନ ସ୍ତରକୁ ଚାଲି ଆସିଥିଲା। ୨ ମିନିଟ ଅନ୍ତରରେ ଜାପାନ ଲଗାତର ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ହିରୋତକା ଜେଣ୍ଡାନା ଏହାକୁ ଗୋଲରେ ପରିଣତ କରିବାରୁ ଜାପାନ ୨-୧ରେ ଅଗ୍ରଣୀ ନେଇ ଯାଇଥିଲା। ମାତ୍ର ୨୬ତମ ମିନିଟରେ ପୋଲାଣ୍ଡର ମାଟେଉଜ୍‌ ହୁଲବୋଜ ଫିଲ୍ଡ ଗୋଲ ସ୍କୋର କରିିବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ମ୍ୟାଚ ୨-୨ ସ୍ଥିତିକୁ ଚାଲିଆସିଥିଲା।
କିନ୍ତୁ ଭିନ୍ନ ଖେଳ ଦେଖାଇଥିଲା ଜାପାନ। ତୃତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୩୪ତମ ମିନିଟରେ ପେନାଲ୍ଟି କର୍ନରରୁ କେନ୍‌ତା ତନକା ଏବଂ ୩୬ତମ ମିନିଟରେ କୋଜି ୟାମାସାକି ଗୋଲ ଦେବାରୁ ଜାପାନ ୪-୨ରେ ଅଗ୍ରଣୀ ଲାଭ କରିଥିଲା। ଏହି ୨ ଗୋଲ ବରଣ ପରେ ଚାପକୁ ଚାଲି ଆସିଥିଲା ପୋଲାଣ୍ଡ। ଫଳରେ ଖେଳର ଅବଶିଷ୍ଟ ସମୟରେ ଦଳ ସ୍ବାଭାବିକ ପ୍ରଦର୍ଶନ କରିପାରି ନ ଥିଲା। ଏହାର ସୁଯୋଗ ନେଇ ୪ର୍ଥ କ୍ବାର୍ଟରରେ ଅର୍ଥାତ୍‌ ମ୍ୟାଚର ୪୭ତମ ମିନିଟରେ କେନ୍‌ଜି କିତାଜାତୋ ଏକ ଫିଲ୍ଡ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ପୋଲାଣ୍ଡର ଦୁର୍ଦ୍ଦଶା ଏତିକିରେ ସରି ନ ଥିଲା। ମ୍ୟାଚ ସରିବାର ଅଳ୍ପକିଛି କ୍ଷଣ ପୂର୍ବରୁ ୬୦ତମ ମିନିଟରେ କୋଜି ବ୍ୟକ୍ତିଗତ ଏବଂ ଦଳ ପକ୍ଷରୁୁ ୬ଷ୍ଠ ଗୋଲଟି ସ୍କୋର କରିଥିଲେ। ମ୍ୟାଚ ଆରମ୍ଭରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ କ୍ରିକେଟର ଦେବାଶିଷ ମହାନ୍ତି ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଜାପାନର କାଜୁମା ମୁରାତା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Share