Categories: ଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ:ଆମେରିକା-ଜାପାନ ମ୍ୟାଚ ଡ୍ର

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପୁଲ ‘ବି’ ମ୍ୟାଚରେ ଆମେରିକା ଓ ଜାପାନ ପଏଣ୍ଟ ଭାଗ କରିଛନ୍ତି। ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ୨-୨ ଗୋଲରେ ଡ୍ର ରହିଥିଲା। ଫଳରେ ଉଭୟ ଆମେରିକା ଓ ଜାପାନ ୩ ମ୍ୟାଚରୁ ୨ ବିଜୟ ଓ ୧ ଲେଖାଏ ଡ୍ର ସହ ୭ ପଏଣ୍ଟ ଲେଖାଏ ପାଇ ଲିଗ୍‌ ପର୍ଯ୍ୟାୟ ଶେଷ କରିଛନ୍ତି। ତେବେ ଗୋଲ ବ୍ୟବଧାନରେ ଆମେରିକା ପୁଲ୍‌ରେ ଶୀର୍ଷସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନୀୟ ଦଳଭାବେ ଜାପାନ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ଗ୍ରୁପ୍‌ରୁ ଅନ୍ୟତମ ଦଳଭାବେ ଦକ୍ଷିଣ ଆଫ୍ରିକା ୩ ମ୍ୟାଚରୁ ୧ ବିଜୟ ସହ ୩ ପଏଣ୍ଟ ପାାଇ କ୍ରସ୍‌ ଓଭରରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ମେକ୍ସିକୋ ୩ଟିଯାକ ମ୍ୟାଚରେ ପରାଜିତ ହୋଇଛି। ଏହି ଦଳ ୭-୮ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ।
ଏସିଆନ ଚାମ୍ପିୟନ ଜାପାନ ପ୍ରଥମାର୍ଦ୍ଧର ଅଧିକାଂଶ ସମୟ ବଲ୍‌କୁ ଆମେରିକା ହାଫ୍‌ରେ ରଖିବାକୁ ସକ୍ଷମ ହୋଇଥିଲା। ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲା। ଆମେରିକା ଗୋଲକିପର ଜୋନାଥନ କ୍ଲାଗେସ ଚମତ୍କାର ପ୍ରଦର୍ଶନ କରି ଜାପାନକୁ ଅଗ୍ରଣୀ ହେବାକୁ ଦେଇ ନ ଥିଲେ। ଦ୍ୱିିତୀୟାର୍ଦ୍ଧରେ ଅର୍ଥାତ୍‌ ତୃତୀୟ କ୍ବାର୍ଟର ଶେଷ ଭାଗରେ ଗୋଲ ସ୍କୋରିଂ ଆରମ୍ଭ ହୋଇଥିଲା। ୪୧ତମ ମିନିଟରେ ଆମେରିକାର ଡିଗାନ ହୁଇସମ୍ୟାନ ଫିଲ୍‌ଡ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିବାବେଳେ ଏହାର ୪ ମିନିଟ ପରେ ଅର୍ଥାତ୍‌ ୪୫ତମ ମିନିଟରେ କେନ୍ତା ତାନାକା ଗୋଟିଏ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଅନ୍ତିମ କ୍ବାର୍ଟରରେ ବିଜୟ ହାସଲ ପାଇଁ ଉଭୟ ଦଳ ଉଦ୍ୟମ କରିଥିଲେ। ୫୧ତମ ମିନିଟରେ ହୁଇସମ୍ୟାନ ଆଉ ଏକ ଗୋଲ ଦେଇ ଦଳକୁ ପୁଣି ଅଗ୍ରଣୀ କରାଇଥିଲେ। ମ୍ୟାଚରେ ଏହା ତାଙ୍କର ଦ୍ୱିତୀୟ ଗୋଲ ଥିଲା। ମାତ୍ର ମ୍ୟାଚ ଶେଷ ହେବାକୁ ୧ ମିନିଟ ଥିବାବେଳେ ଜାପାନକୁ ମିଳିଥିବା ପେନାଲ୍ଟି କର୍ନରକୁ ସୁଗୁରୁ ହୋଶି ଗୋଲରେ ପରିଣତ କରିବାରୁ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲା। ଅବଶିଷ୍ଟ ୧ ମିନିଟର ଖେଳ କେବଳ ଔପଚାରିକ ହୋଇ ରହି ଯାଇଥିଲା। ଜାପାନର କେନ୍‌ତା ତନକା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ବିଏମସି କମିଶନର ସମର୍ଥ ବର୍ମା ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share