Categories: ଖେଳ

ଏନ୍‌ସିଏ ସୁଧାର ଯୋଜନା: ସହାୟତା କରିବେ ମେଡିକାଲ ପ୍ୟାନେଲ, ସୋସିଆଲ ମିଡିଆ ଏକ୍ସପର୍ଟ

ନୂଆଦିଲ୍ଲୀ,୩।୧(ପି.ଟି.)- ଖେଳାଳିଙ୍କ ଇଞ୍ଜୁରି ତଥା ଆଘାତ ସମସ୍ୟାର ସମାଧାନ ନେଇ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ବେଶ୍‌ ସମାଲୋଚିତ ହୋଇ ଆସୁଛି। ଏବେ ଏନ୍‌ସିଏର ସାମଗ୍ରିକ ସୁଧାର ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା ହାତକୁ ନେଇଛି। ଏଥିପାଇଁ ବିସିସିଆଇ ମେଡିକାଲ ପ୍ୟାନେଲର ସାହାଯ୍ୟ ନେବ। କେବଳ ସେତିକି ନୁହଁ ସୋସିଆଲ ମିଡିଆର ବିଶେଷଜ୍ଞ ତଥା ଏକ୍ସପର୍ଟଙ୍କ ମଧ୍ୟ ସହାୟତା ନିଆଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି।
କିଛିଦିନ ତଳେ ଏନସିଏର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ସୌରଭ ଗାଙ୍ଗୁଲି, ଏନସିଏ ମୁଖ୍ୟ ରାହୁଲ ଡ୍ରାଭିଡ୍‌ଙ୍କ ସମେତ ବିସିସିଆଇର ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ ଓ ସୁଧାର ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ଇଞ୍ଜୁରି ମ୍ୟାନେଜ୍‌ମେଣ୍ଟରେ ଏନ୍‌ସିଏର ଭୂମିକାକୁ ନେଇ କଡ଼ା ସମାଲୋଚନା କରାଯାଇଥିଲା। ରିଦ୍ଧିମାନ ଶାହ ଓ ଭୁବନେଶ୍ୱର କୁମାରଙ୍କ ଇଞ୍ଜୁରି ସମସ୍ୟା ଏନ୍‌ସିଏର ବିଫଳତାକୁ ପଦାରେ ପକାଇଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଇଞ୍ଜୁରି ପାଇଁ ଏନ୍‌ସିଏ ବଦଳରେ ବ୍ୟକ୍ତିଗତ ରିହାବିଲିଟେଶନର ବ୍ୟବସ୍ଥା କରିଥିଲେ।
ମେଡିକାଲ ପ୍ୟାନେଲ ଗଠନ ପାଇଁ ବିସିସିଆଇ ଏବେ ଲଣ୍ଡନ ସ୍ଥିତ କ୍ଲିନିକ ଫର୍ଟିୟୁସ ସହ ଯୋଗାଯୋଗ କରିବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ଦ୍ରୁତ ବୋଲିଂର ମୁଖ୍ୟ ପଦ ଫାଙ୍କା ପଡିଥିଲା। ଏବେ ଏହି ପଦର ନିଯୁକ୍ତି କରାଯିବ। ଏଥିସହିତ ଜଣେ ନିଉଟ୍ରିଶନ ହେଡ୍‌ଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ଭୁଲ କାରଣ ଯୋଗୁ ଏନ୍‌ସିଏ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚିତ ରହିଥାଏ। ତେଣୁ ଏଥିରେ ସୁଧାର ପାଇଁ ଜଣେ ସୋସିଆଲ ମିଡିଆ ମ୍ୟାନେଜରଙ୍କୁ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି। ଅଗାମୀ ୧୮ ମାସ ମଧ୍ୟରେ ଏନ୍‌ସିଏର ସୁବିଧା ସୁଯୋଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି। ଫାଙ୍କାଥିବା ଅନ୍ୟ ପଦ ପଦବୀଗୁଡିକରେ ଯୋଗ୍ୟ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ। ଏନ୍‌ସିଏରେ ମଧ୍ୟ ଲିଭେଲ ୨ ଓ ଲିଭେଲ ୩ କୋଚିଂ କୋର୍ସର ବ୍ୟବସ୍ଥା କରାଯିବ। କୋଚ୍‌ ଡେଭଲପମେଣ୍ଟ କନସଲଟାଣ୍ଟ ମଧ୍ୟ ନିଯୁକ୍ତ କରାଯିବ। ମୋଟାମୋଟି ଉପରେ ଏନ୍‌ସିଏର ନବକଳେବର କରିବାକୁ ବୋର୍ଡ ଏବେ ଯୋଜନା ପ୍ରସ୍ତୁତ କରିଛି।

Share