Categories: ଖେଳ

ଏନ୍‌ବିଏ୍‌: ଦ୍ୱିତୀୟ ମ୍ୟାଚ୍‌ ବି ଜିତିଲା ଇଣ୍ଡିଆନା ପେସର୍ସ

ମୁମ୍ବାଇ,୬।୧୦(ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟବଲ ଲିଗ ଏନ୍‌ବିଏ (ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏଶନ) ଭାରତରେ ପଦାର୍ପଣ କରିଥିବା ବେଳେ ଶନିବାର ଏହାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଇଣ୍ଡିଆନା ପେସର୍ସ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବାଜି ମାରିଛି। ଶୁକ୍ରବାର ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଆନା ପେସର୍ସ ୧୩୨-୧୩୧ରେ ପ୍ରତିପକ୍ଷ ସାକ୍ରାମୋଣ୍ଟ୍ରୋ କିଙ୍ଗ୍ସକୁ ପରାସ୍ତ କରିଥିଲା। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁଙ୍କ ଉପସ୍ଥିତିରେ ଦ୍ୱିତୀୟ ମ୍ୟାଚ୍‌କୁ ଇଣ୍ଡିଆନ ୧୩୦-୧୦୬ ବ୍ୟବଧାନରେ ଅତି ସହଜରେ ହାତେଇ ନେଇଛି। ସାରା ମ୍ୟାଚ୍‌ରେ
ଇଣ୍ଡିଆନା ପ୍ରଭାବ ବିସ୍ତାର କରି ଖେଳିଥିଲା। ୪ଟି ଯାକ କ୍ୱାର୍ଟରରେ ଇଣ୍ଡିଆନା ଦମ୍‌ଦାର ପ୍ରଦର୍ଶନ କରିଥିଲା। ଏହି ଦୁଇଟି ମୁକାବିଲା ପ୍ରି ସେସନ ମ୍ୟାଚ୍‌ ଥିଲା। ଏନ୍‌ବିଏର ଆଗାମୀ ସେସନ ଅକ୍ଟୋବର ୨୨ ତାରିଖରେ ଆରମ୍ଭ ହେବ।
ଇଣ୍ଡିଆନା ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତାରକାମାନଙ୍କ ମଧ୍ୟରେ ଅଲିଜ ଜନସନ ୧୭, ଜାକର ସାମ୍ପସନ ୧୫, ମାଇଲ୍ସ ଟର୍ନର ୧୨, ଜେରେମି ଲାମ୍ବ ୧୧ ପଏଣ୍ଟ ସ୍କୋର କରିଥିଲେ। ସେହିପରି ଏଡମଣ୍ଡ ସମର ଓ ଡୋମାଣ୍ଟାସ ସାବୋନିସ୍‌ ଉଭୟ ୧୦ ପଏଣ୍ଟ ଲେଖାଏ ସ୍କୋର କରିଥିଲେ। ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌ ସେତେଟା ରୋମାଞ୍ଚକ ହୋଇ ନ ଥିଲା। ମ୍ୟାଚ୍‌ ପୂର୍ବରୁ ଇଣ୍ଡିଆନା ଓ ସାକ୍ରାମେଣ୍ଟୋ ଦଳ ସ୍ଥାନୀୟ ଏକ ସିଭିକ୍‌ ସ୍କୁଲରେ ଲିଗାସି ପ୍ରୋଜେକ୍ସର ଶିଳାନ୍ୟାସ କରିଥିଲେ। ବୈଷୟିକ ଉପକରଣ ଦୃଷ୍ଟିରୁ ଏହି ଦୁଇ ଏନ୍‌ବିଏ ଦଳ ୫ଟି ସ୍କୁଲକୁ ସହାୟତା ପ୍ରଦାନ କରିବେ। ଏହା ଦ୍ୱାରା କ୍ରୀଡ଼ା ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା ସହ ଉନ୍ନତ ବାସ୍କେଟ ବଲ୍‌ କୋର୍ଟ ନିର୍ମାଣ ସହିତ ଭିତ୍ତିଭୂମି ବିକାଶ ଓ ସୁବିଧାସୁଯୋଗ ଯୋଗାଇଦେବାର ସହଯୋଗ କରାଯିବ। ଏହି ମ୍ୟାଚ ଅବସରରେ ଏନ୍‌ବିଏ କିମ୍ବଦନ୍ତୀ ଡିକେମ୍ବେ ମୁଟୋମ୍ବୋ ଉପସ୍ଥିତ ଥିଲେ।

Share