Categories: ଖେଳ

ଏକମାତ୍ର ଟେଷ୍ଟ: ଦୃଢ଼ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୮।୯- ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଆଫଗାନିସ୍ତାନ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ଅଗ୍ରଣୀ ହାସଲ କରିବା ସହ ସ୍ଥିତି ଦୃଢ କରିଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମ ଇନିଂସରେ ୧୧୭ ଓଭରରେ ୩୪୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ୭୦.୫ ଓଭରରେ ୨୦୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ଆଫଗାନିସ୍ତାନ ୧୩୭ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା।
ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଆଫଗାନିସ୍ତାନ ଶନିବାର ତୃତୀୟ ଦିବସ ଖେଳ ଶେଷସୁଦ୍ଧା ୮୩.୪ ଓଭରରେ ୮ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ଦୁଇ ଦିନ ବାକିଥିବା ବେଳେ ୨ ଉଇକେଟ ବାକି ରଖି ୩୭୪ ରନର ଅଗ୍ରଣୀ ହାସଲ କରିଛି। କ୍ୟାରିୟର ତୃତୀୟ ଟେଷ୍ଟ ଖେଳୁଥିବା ଆଫଗାନିସ୍ତାନ ବିଜୟୀ ହେଲେ ଇତିହାସ ସୃଷ୍ଟି କରିବ। ଷ୍ଟମ୍ପ ଅପସାରଣ ବେଳକୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଅଫସର ଜଜାଇ ୩୪ ଓ ୟାମିନ ଅହମ୍ମଦଜାଇ ବିନା ସ୍କୋରରେ ଅପରାଜିତ ରହିଛନ୍ତି। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଟେଷ୍ଟ ପଦାର୍ପଣ କରିଥିବା ଓପନର ଇବ୍ରାହିମ ଜଡ୍ରାନ ୮୭ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ସେହିପରି ଅସଘର ଆଫଗାନ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅଧିନାୟକ ରସିଦ ଖାଁ ୨୪, କ୍ୱାଇସ୍‌ ଅହମ୍ମଦ ୧୪ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ସ୍ପିନର ତଥା ଅଧିନାୟକ ସାକିବ ଅଲ ହାସନ ୩, ତାଇଜୁଲ ଇସ୍‌ଲାମ ଓ ନଇମ ହାସନ ୨ଟି ଲେଖାଏ, ମେହିଦି ହାସନ ମିରାଜ ଗୋଟିଏ ଉଇକେଟ ହାସଲ କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୯୪/୮ରୁ ଖେଳ ଆରମ୍ଭ କରି ବାଂଲାଦେଶ ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ମୋସାଡେକ ହୋସେନ ୪୪ରୁ ଖେଳ ଆରମ୍ଭ କରି ୪୮ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ଓଭରନାଇଟ ସ୍କୋର ୧୪ରୁ ଖେଳ ଆରମ୍ଭ କରି ତାଇଜୁଲ ଇସ୍‌ଲାମ ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ଆଉଟ ହୋଇଥିଲେ। ଶେଷରେ ନଇମ ହାସନ ୭ ରନ କରି ଆରଟ ହୋଇଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ରସିଦ ଖାଁ ସର୍ବାଧିକ ୫, ମହମ୍ମଦ ନବୀ ୩, ୟାମିନ ଅହମ୍ମଦଜାଇ ଓ କ୍ୱାଇସ ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୧୧୭ ଓଭରରେ ୩୪୨ ଅଲ୍‌ଆଉଟ।
ବାଂଲାଦେଶ ପ୍ରଥମ ଇନିଂସ- ୭୦.୫ ଓଭରରେ ୨୦୫ ଅଲଆଉଟ
(ମୋମିନୁଲ ହକ- ୫୨, ଲିଟନ ଦାସ-୩୩, ମୋସାଡେକ ହୋସେନ- ୪୮*, ରସିଦ ଖାଁ- ୫/୫୫, ମହମ୍ମଦ ନବୀ- ୩/୫୬)।
ଆଫଗାନିସ୍ତାନ ଦ୍ୱିତୀୟ ଇନିଂସ- ୮୩.୪ ଓଭରରେ ୨୩୭/୮
(ଇବ୍ରାହିମ ଜଡ୍ରାନ- ୮୭, ଅସଘର ଆଫଗାନ- ୫୦, ଅଫସର ଜଜାଇ- ୩୪*, ରସିଦ ଖାଁ- ୨୪, ସାକିବ ଅଲ ହାସନ- ୩/୫୩, ତାଇଜୁଲ ଇସ୍‌ଲାମ- ୨/୬୮, ନଇମ ହାସନ- ୨/୬୧)।

Share