ଏଇ ଭାରତରେ

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହଡୋଲଠାରେ। ଦୀର୍ଘ ୧୧ ବର୍ଷ ତଳେ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନ ଥିବାରୁ ସେ ଆଇଜି ଅଫିସ ସାମ୍ନାରେ ନ୍ୟାୟ ମାଗୁଥିବା ଦେଖାଯାଇଛି। ତାଙ୍କ କହିବା କଥା ହେଲା ୧୧ ବର୍ଷ ତଳେ ତାଙ୍କ ପୁଅକୁ ହତ୍ୟା କରାଯାଇଥିଲା। ଏଥିପାଇଁ ସେ ଭୋପାଳ, ଜବଲପୁର, ଦିଲ୍ଲୀ ସବୁଠି ଯାଇ ଗୁହାରି କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ କେହି ନ୍ୟାୟ ପ୍ରଦାନ କରିପାରି ନାହାନ୍ତି। ସୂଚନାଯୋଗ୍ୟ, ରତନୀ ନାମ୍ନୀ ଉକ୍ତ ମହିଳାଙ୍କ ପୁଅ ମୋହନ ବୈଗା(୪୨)ଙ୍କର ଅନୁପପୁର ଜିଲା ବଟୁରା ଅଞ୍ଚଳରେ ଥିବା ଜଣେ ପେପର ମିଲ୍‌ ମାଲିକଙ୍କ ସହ ଝଗଡା ହୋଇଥିଲା। ପେପର ମିଲ୍‌ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଖାଲଖମା ସୃଷ୍ଟି ହୋଇଥିଲା। ରାସ୍ତାରେ ପାଣି ଜମାହେବା ଘଟଣାକୁ ବିରୋଧ କରିବାରୁ ପେପର ମିଲ୍‌ ମାଲିକଙ୍କ ସହ ଝଗଡା ହୋଇଥିଲା। ଏହାର କିଛି ଘଣ୍ଟା ପରେ ମୋହନଙ୍କ ମୃତ ଶରୀର ନିକଟରେ ଥିବା ଏକ ନାଳରୁ ମିଳିଥିଲା। ଗ୍ରାମବାସୀ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହିଥିଲେ ସୁଦ୍ଧା ଏହି ଘଟଣାକୁ ଚପାଇ ଦିଆଯାଇଛି। ଏବେ ୧୧ ବର୍ଷ ପରେ ବି ପୁଅ ମୃତ୍ୟୁର ନ୍ୟାୟ ଭିକ୍ଷା କରିଚାଲିଛନ୍ତି ମା’। ତାଙ୍କୁ ନ୍ୟାୟ ନ ମିଳିଲେ, ସେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି।