ଏଇ ଭାରତରେ

୪୪ ଜଣ ସାଥୀଙ୍କୁ ଏକାଠି କଲା ଗୋଟିଏ ମେସେଜ୍‌। ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟ୍ସଆପ୍‌ ମଧ୍ୟ ଅନେକ ସମୟରେ ଦୂରରେ ଥିବା ବନ୍ଧୁଙ୍କୁ ଏକାଠି କରିବାରେ ସାହାଯ୍ୟ କରୁଛି। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମଧ୍ୟପ୍ରଦେଶର ରତଲାମ୍‌ ଅଞ୍ଚଳର ୪୪ଜଣ ବନ୍ଧୁ। କରଜରେ ବୁଡି ଯାଇଥିବା ଜଣେ ବନ୍ଧୁଙ୍କୁ ଏମାନେ ମିଶି ଉଦ୍ଧାର କରିଛନ୍ତି। ଅସଲ ଘଟଣା ହେଲା ଜଣେ ବ୍ୟବସାୟୀ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ କରିଥିଲେ। ହେଲେ ଏଥିରେ କ୍ଷତି ହେବା ଫଳରେ ତାଙ୍କ ଉପରେ ଲକ୍ଷାଧିକ ଟଙ୍କାର ଋଣ ବୋଝ ଲଦି ହୋଇଯାଇଥିଲା। ସେ ଏକଥା ଅଷ୍ଟ୍ରେଲିଆରେ ଥିବା ତାଙ୍କର ଜଣେ ସାଙ୍ଗଙ୍କୁ କହିଥିଲେ। ଆଉ ଜୁନ୍‌ ୩୦ ସୁଦ୍ଧା ଋଣ ପରିଶୋଧ ନ କଲେ ତାଙ୍କ ଘର ବିକ୍ରି ହୋଇଯିବ ବୋଲି ସୂଚାଇ ଦେଇଥିଲେ। ଏକଥା ଜାଣିବା ପରେ ଅଷ୍ଟ୍ରେଲିଆରେ ଥିବା ତାଙ୍କର ବନ୍ଧୁ ଜଣକ ହ୍ବାଟ୍ସଆପ୍‌ରେ ଏକ ଗ୍ରୁପ ତିଆରି କରି ଏଥିରେ ୪୪ ଜଣ ସାଙ୍ଗକୁ ସାମିଲ କରିଥିଲେ। ଏଥିପାଇଁ କିଛି କିଛି ଅର୍ଥ ସାହାଯ୍ୟ ଦେବାକୁ କହିଥିଲେ। ତାହା ପୁଣି ସର୍ତ୍ତରେ। ସର୍ତ୍ତ ଥିଲା ଅର୍ଥ ଦେବା ସମୟରେ ଏହା ଯେଉଁ ସାଙ୍ଗକୁ ଦିଆଯାଉଛି ତାଙ୍କୁ ଏ ବିଷୟରେ ଯେମିତି କିଛି ପଚରା ନ ଯାଏ। ଶେଷରେ ତାହା ହିଁ ହେଲା ସମସ୍ତେ ୨୫ ହଜାର ଲେଖାଁ ଟଙ୍କା ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଜମା କରିବାରୁ ଦେବାଳିଆ ହୋଇଯାଇଥିବା ବନ୍ଧୁଙ୍କ ପାଖରେ ରାତାରାତି ପହଞ୍ଚିଲା ୧୧ ଲକ୍ଷ ଟଙ୍କା। ଆଉ କିଛି ନ ପଚାରି ତାଙ୍କୁ ବ୍ୟାଙ୍କର ଋଣ ପରିଶୋଧ କରିବାକୁ ସାଙ୍ଗମାନେ କହିଥିଲେ। ଅର୍ଥାତ୍‌ ଜୁନ୍‌ ୨୯ରେ ସେହି ବ୍ୟବସାୟୀ ଓ୍ବାନ ଟାଇମ୍‌ ସେଟଲ୍‌ମେଣ୍ଟରେ ୧୧ଲକ୍ଷ ଟଙ୍କା ପଇଠ କରି ଋଣମୁକ୍ତ ହୋଇଛନ୍ତି। ବନ୍ଧୁଭାବ ସାହାଯ୍ୟର ଏଭଳି ଏକ ନିଆରା ପରମ୍ପରା ସୃଷ୍ଟି କରିଥିବାରୁ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।