ଏଇ ଭାରତରେ

ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂରକରି ଜ୍ଞାନର ଜ୍ୟୋତି ଜଳାଇଥାଏ। ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ ଛାତ୍ରୀଛାତ୍ର। ଏମିତି ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ ଥିବା ୬ଟି ସଂସ୍କୃତ ସ୍କୁଲ। ଏଠାରେ ମୁସଲମାନ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନେ ସଂସ୍କୃତର ବିଭିନ୍ନ ଶ୍ଲୋକ ଶିକ୍ଷା କରିବା ସହିତ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ କରୁଛନ୍ତି। ସକାଳେ ମଦ୍ରାସାରେ ଉର୍ଦ୍ଦୁ ଭାଷା ଶିକ୍ଷା କରିବା ସହିତ କୋରାନ୍‌ ପାଠ କରୁଛନ୍ତି। ଏହାପରେ ସଂସ୍କୃତ ସ୍କୁଲକୁ ପଢ଼ିବାକୁ ଆସୁଛନ୍ତି। ଏକ ନିଆରା ଉଦାହରଣ ସୃଷ୍ଟି କରିଥିବା ଏହି ସ୍କୁଲଗୁଡ଼ିକ ଏବେ ଚର୍ଚ୍ଚାରେ। ଛାତ୍ରୀଛାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ସଂସ୍କୃତରେ ପାଠପଢ଼ିବା ପରେ ମହାରାଜା ସଂସ୍କୃତ କଲେଜରେ ଜ୍ୟୋତିଷ, ଧର୍ମଶାସ୍ତ୍ର, ବେଦ, ଯଜ୍ଞ ସମ୍ପର୍କିତ ଜ୍ଞାନ, କର୍ମକାଣ୍ଡ ଆଦି ବିଷୟରେ ଅଧ୍ୟୟନ କରୁଛନ୍ତି। ଏଠାକାର ରୟାଲ ଏଣ୍ଟ୍ରାନ୍ସ ସଂସ୍କୃତ ସ୍କୁଲରେ ପାଠ ପଢୁଥିବା ୨୭୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୫୦ ଜଣ ମୁସଲମାନ। ସେହିପରି ରୟାଲ ଅପର ପ୍ରାଇମେରୀ ସଂସ୍କୃତ ସ୍କୁଲର ସମସ୍ତ ୪୪୭ ଛାତ୍ରୀଛାତ୍ର ମୁସଲମାନ। ମହାରାଜ ବରିଷ୍ଠ ସଂସ୍କୃତ ସ୍କୁଲର ୧୩୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୩ ଜଣ ମୁସଲମାନ। ସେହିପରି ଖାଣ୍ଡଳ ବିପ୍ର ବରିଷ୍ଠତା ଉପାଧ୍ୟାୟ ସଂସ୍କୃତ ସ୍କୁଲର ୯୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୦ ଜଣ ମୁସଲମାନ ଥିବା ଜଣାପଡିଛି।