ଏଇ ଭାରତରେ

ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁମାନେ ମାନସିକ ପୂରଣ ପରେ ଠାକୁରଙ୍କ ପାଖରେ ଭୋଗ ଲାଗି କରିଥାନ୍ତି। ତେବେ ଏମିତି ଏକ ମନ୍ଦିର ଅଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ହାତକଡ଼ି ଚଢ଼ାନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମଧ୍ୟପ୍ରଦେଶ ରାଜ୍ୟର ନିଚମ୍‌ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଜାଲିନେର୍‌ ଗାଁରେ ରହିଛି ଖାଖର ଦେବଙ୍କ ମନ୍ଦିର। ଏଠାରେ ପ୍ରଭୁ ନାଗଦେବତାଙ୍କୁ ପୂଜା କରାଯାଏ। ବିଚାରାଧୀନ ବନ୍ଦୀ ଜାମିନ ପାଇଲେ କିମ୍ବା ନିର୍ଦ୍ଦୋଷରେ ଖଲାସ ହେଲେ ରାତିରେ ଏଠାକୁ ପୂଜା କରିବାକୁ ଆସିଥାନ୍ତି। ମାନସିକ ପୂରଣ ହେଲେ ସେମାନେ ପୁଣି ଏଠାକୁ ପୂଜା କରିବାକୁ ଆସି ନାଗଦେବତାଙ୍କୁ ହାତକଡ଼ି ଭେଟି ଦେଇଥାନ୍ତି। ଅନେକ ବର୍ଷ ଧରି ଏଠାରେ ଏହି ପରମ୍ପରା ଜାରି ରହିଛି। ମନ୍ଦିର ବାହାରେ ଅନେକ ହାତକଡ଼ି ଝୁଲୁଥିବାର ଦେଖିବାକୁ ମିଳେ।