ଏଇ ଭାରତରେ

ଲୋକମାନେ ଖୁସି ହେଲେ ନାଚିଥାନ୍ତି। କିନ୍ତୁ ବର୍ଷାର ପ୍ରଥମ ଅସରା ମାଟିରେ ପଡିବା ପରେ ଚାଷୀଭାଇ ନାଚି ଉତ୍ସବ ପାଳିବା ନିଆରା ନିଶ୍ଚୟ। ଦୀର୍ଘ ୪ ମାସ ଧରି ପୃଥିବୀ ଓ ଜୀବଜଗତ ଖରାତେଜ ସହିବା ପରେ ବର୍ଷାଋତୁ ଆସିଥିବାରୁ ଧାନଖେତରେ ଚାଷୀମାନେ ଖୁବ୍‌ ନାଚିଥିଲେ। କର୍ନାଟକର ମାଙ୍ଗାଲୁରରେ ସୋମବାର ଶ୍ରୀ ଜ୍ଞାନଶକ୍ତି ସୁବ୍ରମଣ୍ୟମ୍‌ ସ୍ବାମୀ ମନ୍ଦିର ଦ୍ୱାରା ଆୟୋଜିତ ସମାରୋହ ‘କେସାର୍ଡ ଓଞ୍ଜି ଦିନା’ରେ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ଯୁବକମାନେ ଭାଗ ନେଇଥିଲେ। ଧାନଖେତରେ ଆୟୋଜିତ ଏହି ସମାରୋହରେ ଲୋକେ କାଦୁଅପାଣିରେ ଖୁବ୍‌ ନାଚି ମଜା କରିଥିବା ଦେଖାଯାଇଥିଲା। ଏଠାରେ ମୌସୁମୀ ବର୍ଷା ଆସିଯିବା ପରେ ପରେ ଲୋକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖାଦେଇଥିଲା। ବର୍ଷା ହେଲେ ଭଲ ଫସଲ ହେବ ବୋଲି ଚାଷୀ ମନରେ ଚିନ୍ତା। ହେଲେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏଥର ଆଶାନୁରୂପ ବୃଷ୍ଟି ହେବା ସମ୍ଭାବନା କମ୍‌ ଥିବାରୁ ଚାଷୀ ମନ ମାରି ବସିଛନ୍ତି।