ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ ଭୋଟରମାନଙ୍କୁ ଏବେ ନିମନ୍ତ୍ରଣ ପତ୍ର ବଣ୍ଟା ଆରମ୍ଭ ହୋଇଛି। ତେବେ ଏହା କୌଣସି ରାଜନୈତିକ ଦଳ ପକ୍ଷରୁ ନୁହେଁ, ଖୋଦ ନିର୍ବାଚନ କମିଶନ ଏମିତି ଏକ ପ୍ରୟାସ ଆରମ୍ଭ କରିଛନ୍ତି। ଆଉ ଏଭଳି ଏକ ଭିନ୍ନ ଧରଣର ଘଟଣା ଦେଖିବାକୁ ମିଳିଛି ହରିୟାଣାରେ। ପ୍ରକୃତ କଥା ହେଉଛି ମତଦାନ ନିମନ୍ତେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନିର୍ବାଚନ କମିଶନଙ୍କର ଏଭଳି ନିମନ୍ତ୍ରଣ ପତ୍ରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗକୁ ଲୋକ ସଭା ନିର୍ବାଚନ ଥିବାରୁ ନିର୍ବାଚନ କମିଶନ ଭୋଟରଙ୍କୁ ସଚେତନ କରିବା ସହ ମତଦାନ ନିମନ୍ତେ ଉତ୍ସାହିତ କରିବା ସକାଶେ ଏଭଳି ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଉଛନ୍ତି। ଏଥିପାଇଁ ସେ ଅବିକଳ ନିମନ୍ତ୍ରଣ ପତ୍ର ପରି ଲାଲ୍‌ ରଙ୍ଗର କାର୍ଡ ଛପାଇଛନ୍ତି; ଯେଉଁଥିରେ ବିବାହ କାର୍ଯ୍ୟସୂଚୀ ଥିବା ଭଳି ଡିଜାଇନ୍‌ କରି ମତଦାନ ତାରିଖ ଓ ଅନ୍ୟ ସବୁ ପ୍ରକାର ସୂଚନା ଦେଇଛନ୍ତି। ନିମନ୍ତ୍ରଣ ପତ୍ର ମାଧ୍ୟମରେ ଭୋଟଦାନ ଅଧିକାରକୁ ନେଇ ସଚେତନତା ସୃଷ୍ଟି କରିବା ହିଁ ମୁଖ୍ୟ ଲକ୍ଷ୍ୟ। ମତଦାନ ହାର ବୃଦ୍ଧି ପାଇବ କି ନାହିଁ ତାହା ତ ଆଉ କିଛିଦିନ ପରେ ସ୍ପଷ୍ଟ ହୋଇଯିବ, କିନ୍ତୁ ଏବେ ଏହି ନିମନ୍ତ୍ରଣ ପତ୍ରକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏଭଳି ଭାବେ ୫୦ ଲକ୍ଷରୁ ଅଧିକ ଘରକୁ ନିମନ୍ତ୍ରଣ ପତ୍ର ବାଣ୍ଟିବାର ଯୋଜନା କରାଯାଇଛି।