ଏଇ ଭାରତରେ

ଆମ ଦେଶରେ ଆଇନକାନୁନ ଯେମିତି ଉଦାର, ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ସେପରି ବିଳମ୍ବ ହୋଇଥାଏ। ଏଥିପାଇଁ ଜଣେ ଅଭିଯୁକ୍ତ ନିଜ ଜୀବଦ୍ଦଶାରେ ମଧ୍ୟ ନ୍ୟାୟ ପାଇ ନ ପାରେ। ମୃତ୍ୟୁର ୫ ବର୍ଷ ପରେ ଦେଶଦ୍ରୋହ ଅଭିଯୋଗରୁ ମୁକ୍ତ ହୋଇଛନ୍ତି ଜଣେ ଅଭିଯୁକ୍ତ। ଏପରି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗରେ। ଏହି ନ୍ୟାୟର ମୂଲ୍ୟ ତାଙ୍କ ପାଇଁ କିଛି ନୁହେଁ। କାରଣ ବିଳମ୍ବରେ ମିଳୁଥିବା ନ୍ୟାୟ ପ୍ରକୃତ ନ୍ୟାୟ ନୁହେଁ ବୋଲି କୁହାଯାଏ। ପଶ୍ଚିମବଙ୍ଗରେ ଦେଶଦ୍ରୋହ ଅପରାଧରେ କାରାଦଣ୍ଡ ଭୋଗୁଥିବା ୩ ଜଣ ଅଭିଯୁକ୍ତଙ୍କୁ କୋଲକତା ହାଇକୋର୍ଟ ମୁକ୍ତ କରିଛନ୍ତି। କିନ୍ତୁ ଏଥିପାଇଁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ବିଳମ୍ବ ହୋଇଯାଇଛି। ସେମାନଙ୍କୁ ୨୦୦୫ରେ ଏକ ନିମ୍ନ ଅଦାଲତ ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ନିମ୍ନ ଅଦାଲତଙ୍କ ରାୟକୁ ୨୦୦୬ରେ କୋଲକାତା ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଥିଲା। ଇତିମଧ୍ୟରେ ଜଣେ ଅଭିଯୁକ୍ତ ସୁଶୀଲ ରାୟଙ୍କର ଗତ ୫ ବର୍ଷ ତଳେ ୨୦୧୪ରେ ମୃତ୍ୟୁ ହୋଇସାରିଛି। ତେଣୁ ବର୍ତ୍ତମାନ ମିଳିଥିବା ନ୍ୟାୟର ମୂଲ୍ୟ ତାଙ୍କ ପାଇଁ କିଛି ନୁହେଁ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବିଚାରପତି ମୁକ୍ତ କରିଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।