ଏଇ ଭାରତରେ

ଅସହାୟ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛନ୍ତି ୬୮ ବର୍ଷୀୟା ସୀମା ସେଠ୍‌। ସେ ‘ନୟି ଦିଶା’ ନାମକ ଏନ୍‌ଜିଓ ମାଧ୍ୟମରେ ଏହା କରୁଛନ୍ତି। ଗୁର୍‌ଗାଁଓର ହରିଜନ କଲୋନୀରେ ନୟି ଦିଶା ୨୦୧୪ରେ ସ୍ଥାପିତ ହୋଇଥିଲା। ଏହା ମୁଖ୍ୟତଃ ବିଭିନ୍ନ ବସ୍ତିର ରହି ଘରକାମ କରୁଥିବା, ଗାଡ଼ିଚାଳକ କିମ୍ବା ଛୋଟ ବ୍ୟବସାୟ କରି ପରିବାର ଚଳାଉଥିବା ବ୍ୟକ୍ତିଙ୍କ ପିଲାଙ୍କୁ ଶିକ୍ଷିତ କରୁଛି। ନୟି ଦିଶା ଦ୍ୱାରା ପରିଚାଳିତ ସ୍କୁଲରେ ପଢୁଥିବା ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଇ ଗୁର୍‌ଗାଁଓର ବିଭିନ୍ନ ପବ୍ଲିକ୍‌ ସ୍କୁଲ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ କରାଯାଉଛି। ସୀମା ଏବେସୁଦ୍ଧା ୪୦୦ରୁ ଊର୍ଦ୍ଧ୍ୱ ଅସହାୟ ପିଲାଙ୍କୁ ବିଭିନ୍ନ ପବ୍ଲିକ ସ୍କୁଲରେ ନାମ ଲେଖାଇସାରିଲେଣି। ନୟି ଦିଶାର ସ୍କୁଲରେ ୧୨ ଜଣ ଶିକ୍ଷକ ଏନ୍‌ସିଆର୍‌ଟି ପାଠ୍ୟକ୍ରମ ଅନୁଯାୟୀ ପିଲାଙ୍କୁ ୫ମ ଯାଏ ପଢ଼ାଉଛନ୍ତି। ପ୍ରଥମେ ହାତଗଣତି କେତେଜଣ ପିଲାଙ୍କୁ ଗୋଟିଏ ରୁମ୍‌ରେ ପଢ଼ାଇବା ଆରମ୍ଭ ହୋଇଥିଲା ଓ ଏବେ ୮ଟି ରୁମ୍‌ରେ ୧୦୦ରୁ ଅଧିକ ପିଲା ପଢ଼ିପାରୁଛନ୍ତି। ସେମାନେ ଗଣିତ, ଇଂଲିଶ, ହିନ୍ଦୀ, ପରିବେଶ ବିଜ୍ଞାନ, କଳା, କମ୍ପ୍ୟୁଟର ଓ ନାଟକ ଉପରେ ପଢ଼ୁଛନ୍ତି। ଏବେ ସୀମା ଇନ୍ଦିରା କଲୋନୀରେ ଆଉ ଏକ ସ୍କୁଲ ଆରମ୍ଭ କରିଛନ୍ତି, ଯେଉଁଠି ୬୫ ପିଲା ପଢ଼ୁଛନ୍ତି।