ଏଇ ଭାରତରେ

କେତେଜଣ ବ୍ୟକ୍ତି ନିଜର ଉଦ୍ୟମ ଓ ଅଧ୍ୟବସାୟ ବଳରେ ନୂଆ ଉଦ୍‌ଭାବନ କରି ଅନ୍ୟମାନଙ୍କର ପ୍ରଶଂସାଭାଜନ ହେବା ସହିତ ଦେଶର ଓ ସମାଜର କଲ୍ୟାଣ ସାଧନ କରିଥାଆନ୍ତି। ବର୍ତ୍ତମାନ ଆମେ ଅନେକ ଯନ୍ତ୍ରପାତି ଉପରେ ନିର୍ଭର କରି ଅତି ସହଜରେ ଓ କମ୍‌ ସମୟ ମଧ୍ୟରେ କଷ୍ଟକର କାର୍ଯ୍ୟ କରିବାକୁ ସମର୍ଥ ହୋଇପାରୁଛୁ। ତେବେ ଏହା ପଛରେ ଥିବା କେତେଜଣ ବ୍ୟକ୍ତିଙ୍କ ଉଦ୍ଭାବନ ଆମକୁ ଆଧୁନିକ ଜୀବନ ଯାପନ ପାଇଁ ସହାୟକ ହୋଇପାରିଛି। ଆଉ ସେଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ମାଙ୍ଗାଲୁର୍‌ର ଗଣପତି ଭଟ୍ଟ। ନଡ଼ିଆ ଓ ଗୁଆ ଗଛରେ ଚଢି ଫଳ ତୋଳିବା ପାଇଁ ସେ ଏକ ଅଦ୍ଭୁତ ବାଇକ୍‌ ଉଦ୍‌ଭାବନ କରିଛନ୍ତି। ବାଇକ୍‌ଟି ୬୦-୮୦ କିଲୋମିଟର ବେଗରେ ଗତି କରିବ ବୋଲି ସେ ଦାବି କରିଛନ୍ତି। ଏହାସହ ଉକ୍ତ ବାଇକ୍‌ରେ ୮୦ କିଲୋଗ୍ରାମ୍‌ ଓଜନର ସାମଗ୍ରୀ ମଧ୍ୟ ବହନ କରାଯାଇପାରିବ। ଗୋଟିଏ ଲିଟର ପେଟ୍ରୋଲରେ ଏହା ୮୦ଟି ଗଛ ଚଢିପାରିବ। ଏଥିସହ ବର୍ଷାଦିନେ ଗଛରେ ଔଷଧ ସିଞ୍ଚନ କାର୍ଯ୍ୟରେ ଏହା ସହାୟକ ହୋଇପାରିବ ବୋଲି ଗଣପତି କହିଛନ୍ତି।