ଏଇ ଭାରତରେ

ଶିକ୍ଷାଲାଭ କରି ଉଚ୍ଚ ପଦବୀ ହାସଲ କରିବା ପଛରେ ଅନେକଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ, ଯାହାର ସାମ୍‌ନା କରିଛନ୍ତି ଉତ୍ତରାଖଣ୍ଡର ହିମାଂଶୁ କାଫାଲ୍‌ଟିଆ। ଦୁର୍ଗମ ଗାଁ ତୁର୍ସାରରେ ଜନ୍ମିତ ହିମାଂଶୁ ସିଭିଲ ସର୍ଭିସରେ ସଫଳ ହେବା ପରେ ତାଙ୍କ ଆଦ୍ୟ ଜୀବନର ସଂଗ୍ରାମକୁ ସ୍ମରଣ କରି ଏବେ ବହୁ ଦୁର୍ଗମ ଗାଁରେ ପାଠାଗାର ଖୋଲୁଛନ୍ତି। ପିଲାଦିନେ ସେ ୪ କି.ମି. ପାହାଡ଼ ଚଢ଼ି ଗାଁଠାରୁ ଦୂରରେ ଥିବା ସ୍କୁଲକୁ ଯାଉଥିଲେ। ପରେ ସେ ଆଇଏଏସ୍‌ ହେବା ସ୍ବପ୍ନ ଦେଖିଥିଲେ ବି ଗାଁରେ ଆବଶ୍ୟକ କୋଚିଂ କିମ୍ବା ବହିର ସୁବିଧା ପାଇପାରି ନ ଥିଲେ। ଏଥିପାଇଁ ଦିଲ୍ଲୀ ଯାଇଥିଲେ ଓ ଆଇଏଏସ୍‌ ପାଇ ୨୦୧୯ରେ ସର୍ଭିସରେ ଯୋଗ ଦେଇଥିଲେ। ଦୁର୍ଗମ ଗାଁରେ ଛାତ୍ରମାନେ କିଭଳି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ସେଥିପାଇଁ ଲାଇବ୍ରେରି ଖୋଲୁଛନ୍ତି। ପ୍ରଥମେ ସେ ନଭେମ୍ବର ୨୦୨୦ରେ ଟାଙ୍କୁର ଗାଁରେ ଲାଇବ୍ରେରି ଖୋଲିବା ପରେ ପାଖାପାଖିରେ ଆଉ ୧୬ଟି ଲାଇବ୍ରେରି ଖୋଲିସାରିଲେଣି। ହିମାଂଶୁଙ୍କ ସ୍ତ୍ରୀ ବି ଜଣେ ଆଇଆର୍‌ଏସ୍‌ ଅଧିକାରୀ। ସେମାନେ ବହୁ ସମୟରେ ଲାଇବ୍ରେରିଗୁଡ଼ିକୁ ଯାଇ ପିଲାମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି ଓ ପଢାଉଛନ୍ତି। ଗଣିତ ଓ ସାଧାରଣ ଜ୍ଞାନ ଉପରେ ପରୀକ୍ଷା କରୁଛନ୍ତି। ଲାଇବ୍ରେରିଗୁଡ଼ିକ ଦିନରାତି ଖୋଲାରହୁଛି। ଛାତ୍ରମାନେ ସକାଳୁ ବିଳମ୍ବିତ ରାତି ଯାଏ ସେଠାରେ ପଢୁଛନ୍ତି।