ଏଇ ଭାରତରେ

କୀ ର୍ତ୍ତି ଭାରତୀ ଏବେ ସୁଦ୍ଧା ୧୪୦୦ରୁ ଊର୍ଦ୍ଧ୍ୱ ବାଲ୍ୟ ବିବାହ ରୋକି ପାରିଛନ୍ତି। ତାଙ୍କୁ ଏବେ ବୟସ ୩୫। ଜନ୍ମ ଗୁଜରାଟରେ, ହେଲେ କର୍ମଭୂମି ପାଲଟିଛି ରାଜସ୍ଥାନର ଯୋଧପୁର। ଏଠାରେ ସେ ସାରଥି ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ବାଲ୍ୟ ବିବାହକୁ ବିରୋଧ କରିବା ସହ ଅସହାୟମାନଙ୍କୁ ଥଇଥାନ କରିବାରେ ଲାଗିଛନ୍ତି। କୀର୍ତ୍ତିଙ୍କ ମା’ଗର୍ଭବତୀ ଥିଲାବେଳେ ତାଙ୍କ ବାପା ଛାଡିଚାଲିଯାଇଥିଲେ। କୀର୍ତ୍ତିଙ୍କୁ ତାଙ୍କ ମା’ ୭ ମାସରେ ଜନ୍ମ ଦେଇଥିଲେ ଓ ପରେ ସେ ବହୁ ବାଧା ବିଘ୍ନରେ ବଢିଥିଲେ। ତାଙ୍କ ପରିବାର ସମ୍ପର୍କୀୟମାନେ ତାଙ୍କୁ ଜୀବନରୁ ମାରି ଦେବା ଲାଗି ଚାହଁୁଥିଲେ। ଏପରି କି ତାଙ୍କୁ ୧୦ ବର୍ଷ ବୟସରେ ସ୍ଲୋ ପଏଜନ ବି ଦିଆଯାଇଥିଲା, ଯେଉଁଥିତ୍ରେ କୀର୍ତ୍ତି ପକ୍ଷାଘାତର ଶିକାର ହୋଇ ଚାଲିପାରିଲେ ନାହିଁ। ତାଙ୍କ ସ୍କୁଲ ବି ବନ୍ଦ ହୋଇଗଲା। ତାଙ୍କର ଚିକିତ୍ସା କରାଯିବା ପରେ ପୁଣି ସେ ଚାଲିଲେ ଓ ପଢା ଜାରି ରଖିଲେ। ଶିକ୍ଷା ଶେଷ କରି ୨୨ ବର୍ଷ ବୟସରେ ସେ ୨୦୧୧ରେ ସାରଥି ଟ୍ରଷ୍ଟ ଗଢି ସେବା ଆରମ୍ଭ କରିଥିଲେ। ବାଲ୍ୟ ବିବାହରେ ଅଗ୍ରଣୀ ରାଜ୍ୟ ରାଜସ୍ଥାନରେ କୀର୍ତ୍ତିଙ୍କ ଉଦ୍ୟମ ବଳରେ ବହୁ ବାଲ୍ୟ ବିବାହ ବନ୍ଦ ହୋଇପାରିଛିିି। କେବଳ ଏହି କାର୍ଯ୍ୟ ନୁହେଁ, ସେ ମଧ୍ୟ ବିଭିନ୍ନ ଯୋଜନାରେ ଶିଶୁଶ୍ରମିକ, ଯୌନ ନିର୍ଯାତନା ତଥା ଏଚ୍‌ଆଇଭିର ଶିକାର ହୋଇଥିବା ପ୍ରାୟ ୭,୦୦୦ ପିଲାଙ୍କୁ ଥଇଥାନ କରିପାରିଛନ୍ତି। କୀର୍ତ୍ତି ରାଜସ୍ଥାନର ବିଭିନ୍ନ ଗାଁକୁ ଯାଇ ବାଲ୍ୟ ବିବାହ ନ କରିବା ଲାଗି ୨୦,୦୦୦ ଲୋକଙ୍କୁ ଶପଥ କରାଇ ପାରିଛନ୍ତି।