ଏଇ ଭାରତରେ

ପ୍ରତିବର୍ଷ ଭାରତରେ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ପାଇବାରେ ଲାଗିଛି। ସରକାର ତଥା ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ଦୁର୍ଘଟଣା ରୋକିବା ଲାଗି ସଚେତନ କରୁଛନ୍ତି। କିନ୍ତୁ ମୁମ୍ବାଇ-ପୁଣେ ଏକ୍ସପ୍ରେସଓ୍ବେରେ ଦୁର୍ଘଟଣା ରୋକିବା ପାଇଁ ପୀୟୂଷ ତିଓ୍ବାରୀଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଏହି ରାସ୍ତାରେ ଅନେକ ପ୍ରକାର ଜ୍ଞାନକୌଶଳ ଉପଯୋଗ କରିଛନ୍ତି। ଏହାଦ୍ୱାରା ସେ ଗତ ୪ ବର୍ଷ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ୪୩% କମାଇବାରେ ସକ୍ଷମ ହୋଇପାରିଛନ୍ତି। ଦୁର୍ଘଟଣା ମଧ୍ୟ ୨୯% କମିଛି। ୨୦୧୫ରେ ଭୟଙ୍କର ଦୁର୍ଘଟଣା ସଂଖ୍ୟା ୧୫୧ଟି ଥିଲାବେଳେ ୨୦୧୯ରେ ଏହା ୮୬ରେ ପହଞ୍ଚିଛି। ସେ ସେଭ୍‌ ଲାଇଫ ଫାଉଣ୍ଡେଶନ ଏନ୍‌ଜିଓ ମାଧ୍ୟମରେ ଏହା କରୁଛନ୍ତି। ସଡ଼କ ଦୁର୍ଘଟଣାରେ ତାଙ୍କ ପୁତୁରାଙ୍କୁ ହରାଇବା ପରେ ୨୦୦୮ରେ ସେ ଏହି ଫାଉଣ୍ଡେଶନ ଆରମ୍ଭ କରିଥିଲେ। ଏକ୍ସପ୍ରେସଓ୍ବେରେ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ କରିବା ଲାଗି ସେ ରାଜ୍ୟ ହାଇଓ୍ବେ ପୋଲିସ, ହାଇଓ୍ବେଅଥରିଟି ଏବଂ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ସହ ମିଶି କାର୍ଯ୍ୟ ଚଳାଇଛନ୍ତି। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଠାବକରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୋଲିସକୁ ଅବଗତ କରୁଛି ଭେହିକିଲ ଆକ୍ଟିଭେଟେଡ ସ୍ପିଡ୍‌ ସାଇନ ସିଷ୍ଟମ(ଭିଏଏସ୍‌ଏସ୍‌)। ଏହା ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ) ଟେକ୍‌ନୋଲୋଜି। ଏହି ସ୍ମାର୍ଟ ଟେକନୋଲୋଜି ଦ୍ୱାରା ଏକ୍ସପ୍ରେସଓ୍ବେର ୧୦୦୦ଟି ସ୍ଥାନ ଉପରେ ନଜର ରଖାଯାଇଛି। ପାଟ୍ରୋଲିଂ ସମୟରେ ରାସ୍ତା ଉପରେ ଉଡୁଥିବା ଡ୍ରୋନ ସଭିଙ୍କ ଉପରେ ଦୃଷ୍ଟି ରଖୁଛି। ଆଗକୁ ମୃତ୍ୟୁହାର ୭୫ରୁ ୮୦% କମ୍‌ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପୀୟୂଷ।