ଏଇ ଭାରତରେ

ଜଣେ ମହିଳାଙ୍କ ଦୃଢ଼ ଇଚ୍ଛାଶକ୍ତି ଏବେ ଦେଖିବାକୁ ମିଳିଛି ଆଗ୍ରାରେ। ସ୍ଥାନୀୟ କାଗାରୋଲରେ ରହୁଥିବା ପ୍ରିୟଙ୍କା ବର୍ମା ନାମକ ଜଣେ ମହିଳା ସନ୍ତାନ ଜନ୍ମଦେବାର ମାତ୍ର ୮ ଘଣ୍ଟା ପରେ ଡିଏଲ୍‌ଇଡି (ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ)ର ତୃତୀୟ ସେମିଷ୍ଟର ପରୀକ୍ଷା ଦେଇଛନ୍ତି। ପ୍ରସବ ପରବର୍ତ୍ତୀ ଯନ୍ତ୍ରଣା ଥାଇ ମଧ୍ୟ ତାଙ୍କର ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଥିଲା। ଜୁନ୍‌ରେ ଆରମ୍ଭ ହୋଇଥିବା ଏହି ପରୀକ୍ଷାର ପ୍ରଥମ ଦିନରେ ପ୍ରିୟଙ୍କା ଶୁକ୍ରବାର ୨ଟି ସିଟିଂ ପରୀକ୍ଷା ଦେଇଥିଲେ। ଏହାପରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଶନିବାର ପୁଣିଥରେ ପ୍ରସବର ମାତ୍ର ଆଠଘଣ୍ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ତୃତୀୟ ସିଟିଂରେ ପରୀକ୍ଷା ଦେଇଥିଲେ। ଏଥିରେ ତାଙ୍କୁ ଡାକ୍ତର, ପରୀକ୍ଷା କେନ୍ଦ୍ରର କର୍ମଚାରୀ ଓ ପରିବାର ଲୋକେ ସହାୟତା କରିଥିଲେ। ତେବେ ଡାକ୍ତରଙ୍କ କହିବା କଥା ହେଲା ସାଧାରଣ ପ୍ରସବ ପରେ ଜଣେ ମହିଳାଙ୍କୁ ଅତିକମ୍‌ରେ ୪୮ ଘଣ୍ଟା ବିଶ୍ରାମ ଆବଶ୍ୟକ ହୋଇଥାଏ। ହେଲେ ପ୍ରିୟଙ୍କାଙ୍କ ଦୃଢ ମନୋବଳ ଯୋଗୁ ସେ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଇ ପାରିଛନ୍ତି। ପ୍ରିୟଙ୍କା ଚଳିତବର୍ଷ ପରୀକ୍ଷା ଦେଇ ନ ଥିଲେ ତାଙ୍କର ଗୋଟିଏ ବର୍ଷ ନଷ୍ଟ ହୋଇ ଯାଇଥାଆନ୍ତା। ସୋମବାର ସେ ଆଉ ଏକ ପରୀକ୍ଷା ଦେବେ। ପ୍ରିୟଙ୍କାଙ୍କ ଦୃଢ଼ ମନୋବଳ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ।