ଏଇ ଭାରତରେ

କେରଳର କୋଲାମ ନିବାସୀ ବିଜୁ ବଲାନ। ବୟସ ୪୪। ପେସାରେ ଜଣେ ସ୍ଥପତି। ସେ କଂକ୍ରିଟ ମୁକ୍ତ ଘର ନିର୍ମାଣ କରିଛନ୍ତି ।
ସେ କୋଝିକୋଡର ମାଲାପରାମ୍ବବାରେ ୧୭୦୦ ବର୍ଗଫୁଟ ଜାଗା କିଣି ସେଠାରେ କାଦୁଅ, ଟେରାକୋଟା ଓ ଲାଟେରାଇଟ ଷ୍ଟୋନରେ ଏହି ଘର କରିଛନ୍ତି। ଘରର ନାମ ରଖିଛନ୍ତି‘ଚାମନ’ଅର୍ଥାତ ବଗିଚା। ଭଙ୍ଗା କିମ୍ବା ପୁରୁଣା ଘରଗୁଡିକରୁ ପୁନଃ ଉପଯୋଗ କ୍ଷମ ଜିନିଷଗୁଡିକୁ ଘରେ ଲଗାଇଛନ୍ତି। ସବୁ ଜିନିଷ ପରିବେଶ ଉପଯୋଗୀ। ପ୍ରାକୃତିକ ଉପାୟରେ ଘରେ ବାୟୁ ଚଳାଚଳ, ଆଲୋକ ପଡିବାର ବ୍ୟବସ୍ଥା ମଧ୍ୟ ରଖିଛନ୍ତି। ଘର ଭିତରେ ଏକ ଛୋଟ ଫଳ ବଗିଚା ବି ରହିଛି। କାନ୍ଥରେ ଭର୍ଟିକାଲ ଗାର୍ଡେନ କରିବା ସହ ବାଉଁଶ ନିର୍ମିତ ପରଦା ବ୍ୟବହାର କରିଛନ୍ତି। ୪୦ଫୁଟର ଏକ କୂଅରେ ବର୍ଷାପାଣି ସଂରକ୍ଷଣ କରି ତାହାକୁ ବ୍ୟବହାର କରୁଛନ୍ତି। ଦିଆସିଲି କାରଖାନାର ଅଦରକାରୀ କାଠରେ ଚେୟାର ଓ ସିଲେଇ ମେଶିନର ବେସ୍‌ରେ ଟେବୁଲ ନିର୍ମାଣ କରିଛନ୍ତି। ସେ ବ୍ୟବହାର କରୁଥିବା ହୁଇଲ ଚେୟାର ତଳେ ବାଇକର ଅଦରକାରୀ ଗିୟର ଉପଯୋଗ ହୋଇଛି। ଏଥିପାଇଁ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଆର୍କିଟେକଚର ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏହି ଘରର ଏବକାର ମୂଲ୍ୟ ୩୦-୩୫ ଲକ୍ଷ ଟଙ୍କା ହେବ ବୋଲି କହନ୍ତି ବିଜୁ।