ଏଇ ଭାରତରେ

କୃଷକମାନେ କିଭଳି କମ୍‌ ଜମିରେ କମ୍‌ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେଥିପାଇଁ ନିଷ୍ଠାର ସହ ଅଭିଯାନ ଚଳାଇଛନ୍ତି ଉତ୍ତରାଖଣ୍ଡର ବିଜୟ ଜର୍‌ଦାରୀ। ସେ ‘ବିଜ୍‌ ବଚାଓ ଆନ୍ଦୋଳନ’ ବା ମଞ୍ଜି ବଞ୍ଚାଅ ଆନ୍ଦୋଳନ(ବିବିଏ) ସଂଗଠନ ଗଢ଼ି ତା’ ମାଧ୍ୟମରେ କୃଷକମାନଙ୍କ ପାଇଁ ଅଧିକ ଆୟର ପଥ ଦେଖାଇଛନ୍ତି। ତେହେରି ଗଡ଼ଓ୍ବାଲ ଅଞ୍ଚଳର ତାଙ୍କ ଗାଁରେ ସେ ଗୋଟିଏ ଛୋଟ ଜମିରେ ୧୨ କିମ୍ବା ତା’ଠାରୁ ଅଧିକ ଫସଲ କମ୍‌ ଖର୍ଚ୍ଚରେ ଉପତ୍ାଦନ କରୁଛନ୍ତି। ଏ ସମ୍ପର୍କରେ ବିବିଏ ମାଧ୍ୟମରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ପିଢ଼ି ପିଢ଼ି ଧରି ତାଙ୍କ ପରିବାର କମ୍‌ ଜମିରେ କରି ଆସୁଥିବା ବିବିଧ ଫସଲର ଧାରାକୁ ବଞ୍ଚାଇ ରଖିଛନ୍ତି ବିଜୟ। ସେ କହନ୍ତି, ତାଙ୍କ କୃଷି ପଦ୍ଧତିରେ ଚାଷ କରି ଜଣେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବ। ଗୋଟିଏ ଜମିରେ ପାରମ୍ପରିକ ଫସଲ କରି ସେଥିରୁ ବିହନ ସଂଗ୍ରହ କରି ଅନ୍ୟ ଚାଷୀମାନଙ୍କୁ ଦେଉଛନ୍ତି। ବିଜୟ ବିଭିନ୍ନ ସ୍ଥାନରୁ ୩୫୦ରୁ ଊର୍ଦ୍ଧ୍ୱ ପାରମ୍ପରିକ ବିହନ ସଂଗ୍ରହ କରିପାରିଛନ୍ତି। ସେ ଗୋଟିଏ ଜମିରେ ୧୨ ପ୍ରକାର ଚାଷ କରୁଥିବାରୁ ତାଙ୍କ ଚାଷ ପଦ୍ଧତିର ନାମ ରଖିଛନ୍ତି ‘ବାରଞ୍ଜା’, ଅର୍ଥାତ୍‌ ୧୨ ପ୍ରକାର ଶସ୍ୟ। ଏହି ଉପାୟରେ ଚାଷ କଲେ ଚାଷୀମାନଙ୍କ ପରିବାର ଉପାସ ରହିବେନି ଓ ଏହା ସେମାନଙ୍କୁ ଅତ୍ୟଧିକ ଋଣ ବୋଝରୁ ମୁକ୍ତ କରିପାରିବ ବୋଲି କହନ୍ତି ବିଜୟ। ଦୀର୍ଘ ୩୦ ବର୍ଷ ମଧ୍ୟରେ ତାଙ୍କ ଗାଁ ପାଖ ୧୫ରୁ ୨୦ଟି ଗାଁର ହଜାର ହଜାର ଚାଷୀଙ୍କୁ ଏଭଳି ପଦ୍ଧତିରେ ଚାଷ କରିବା ଲାଗି ଉତ୍ସାହିତ କରି ଆସିଛନ୍ତି। ଏହି ଚାଷରେ କୀଟନାଶକ, ମଞ୍ଜି ଓ କୃଷି ଶ୍ରମିକ ବାବଦରେ ଖର୍ଚ୍ଚ କରିବାକୁ ପଡୁଛି।